ପାକିସ୍ତାନର କରାଚୀ ସହରରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ: ଦେବତାଙ୍କ ମୂର୍ତ୍ତି ଭଙ୍ଗାରୁଜା କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ । ପାକିସ୍ତାନର କରାଚୀ ସହରରେ ଏକ ହିନ୍ଦୁ ମନ୍ଦିରରେ ଦେବତାଙ୍କ ମୂର୍ତ୍ତି ଭଙ୍ଗାରୁଜା ହୋଇଛି। କରାଚୀର କୋରଙ୍ଗୀ ନମ୍ବର ୫ ଇଲାକାରେ ଘଟିଛି ଏହି ଘଟଣା । ବୁଧବାର ଶ୍ରୀ ମାରି ମାତା ମନ୍ଦିରରେ ଦେବାଦେବୀଙ୍କ ମୂର୍ତ୍ତି ଭଙ୍ଗାରୁଜା କରାଯାଇଛି।

ମନ୍ଦିର ପରିସରରେ ପୂଜାରୀଙ୍କ ଘର ରହିଛି। ଦୁର୍ବୃତ୍ତମାନେ ରାତିରେ ଆକ୍ରମଣ କରି ମୂର୍ତ୍ତି ଭାଙ୍ଗିଥିବା ଜଣା ପଡିଛି। ଘଟଣା ପରେ ସ୍ଥାନୀୟ ହିନ୍ଦୁଙ୍କ ମଧ୍ୟରେ ଭୟର ମାହୋଲ ରହିଛି। ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚୁରା କରିଛି।

ଅଞ୍ଚଳରେ ରହୁଥିବା ହିନ୍ଦୁ ଯୁବକ ସଞ୍ଜୀବ କହିଛନ୍ତି, ବାଇକରେ ଛଅରୁ ଆଠ ଜଣ ଲୋକ ଆସି ମନ୍ଦିର ଉପରେ ଆକ୍ରମଣ କରିଛନ୍ତି। କିନ୍ତୁ ଏହି ଯୁବକମାନେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଆକ୍ରମଣ କରିଛନ୍ତି ତାହା ଜଣା ପଡିନାହିଁ।

ସରକାରୀ ତଥ୍ୟ ଅନୁସାରେ ପାକିସ୍ତାନରେ ୭୫ ଲକ୍ଷ ହିନ୍ଦୁ ରହୁଛନ୍ତି। ହେଲେ ସମୁଦାୟ ମତରେ ଦେଶରେ ୯୦ ଲକ୍ଷରୁ ଅଧିକ ହିନ୍ଦୁ ରହୁଛନ୍ତି। ପାକିସ୍ତାନର ଅଧିକାଂଶ ହିନ୍ଦୁ ସିନ୍ଧୁ ପ୍ରଦେଶରେ ବସବାସ କରନ୍ତି। ସେମାନେ ସର୍ବଦା କଠୋରପନ୍ଥୀଙ୍କ ଶିକାର ପାଲଟିଛନ୍ତି ।

Related Posts