ଜେଲେନସ୍କିଙ୍କୁ ହତ୍ୟା ଉଦ୍ୟମ ବିଫଳ; ହତ୍ୟା କରିବାକୁ ଆସିଥିବା ୨୫ ଜଣିଆ ଦଳକୁ କାବୁ କଲା ୟୁକ୍ରେନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜେଲେନସ୍କିଙ୍କୁ ହତ୍ୟା ଉଦ୍ୟମ ବିଫଳ । ତେବେ ୟୁକ୍ରେନର ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ରୁଷ ଦ୍ବିତୀୟ ଥର ଉଦ୍ୟମ କରିଥିଲା। ହେଲେ ସଠିକ ସମୟରେ ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ଆସିଥିବା ସୈନ୍ୟଙ୍କୁ କାବୁ କରିନେଇଥିଲେ ୟୁକ୍ରେନୀୟ ସେନା। ସେପଟେ କିବ୍ ପୋଷ୍ଟର ରିପୋର୍ଟ ଅନୁଯାୟୀ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ରୁଷର ସ୍ୱତନ୍ତ୍ର ସେବା ଦ୍ୱାରା କରାଯାଇଥିବା ଅନ୍ୟ ଏକ ହତ୍ୟା ଉଦ୍ୟମରୁ ବଞ୍ଚିଯାଇଛନ୍ତି। ରୁଷର ସ୍ୱତନ୍ତ୍ର ସେବା ଦ୍ୱାରା ପରିଚାଳିତ ୨୫ ଜଣିଆ ଏକ ସାମରିକ ଗୋଷ୍ଠୀକୁ ସ୍ଲୋଭାକିଆ-ହଙ୍ଗେରୀ ସୀମା ନିକଟରେ ୟୁକ୍ରେନ କାବୁ କରିଛି। କାବୁ କରାଯିବା ପରେ ଜେଲେନସ୍କିଙ୍କୁ ହତ୍ୟା କରିବା ସେମାନଙ୍କର ମୂଳ ଲକ୍ଷ୍ୟ ଥିଲା ବୋଲି ଜଣାପଡ଼ିଛି। ତେବେ ଗତ ମାସ ଫେବ୍ରୁଆରି ୨୪ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ରାଷ୍ଟ୍ରପତି ଜେଲେନସ୍କି ଦାବି କରିଛନ୍ତି ଯେ, ସେ ହେଉଛନ୍ତି ରୁଷର ଟାର୍ଗେଟ ନମ୍ବର ୱାନ ।

ଅନ୍ୟପଟେ ଯୁଦ୍ଧକୁ ୩୩ଦିନ ବିତିଥିଲେ ବି ରୁଷ ପଛକୁ ହଟିନାହିଁ। ଏଭଳି ସ୍ଥିତିରେ ପାଶ୍ଚାତ୍ୟ ଦେଶ ୟୁକ୍ରେନକୁ ସାହାଯ୍ୟ କରୁନଥିବାରୁ ଜେଲେନସ୍କି ଗତକାଲି କହିଥିଲେ, ମୁଁ ଆଜି ମାରିୟୁପୋଲରେ ରହି ଲଢ଼ୁଥିବା ରକ୍ଷକଙ୍କ ସହ କଥା ହୋଇଛି। ମୁଁ ସେମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି। ସେମାନଙ୍କର ନିଷ୍ଠା, ବୀରତ୍ୱ ଏବଂ ଦୃଢ଼ତା ଆଶ୍ଚର୍ୟ୍ୟଜନକ। ସେମାନେ ୩୨ଦିନ ଧରି ରୁଷ ସେନାର କ୍ରୁରତା ସହି ଆକ୍ରମଣର ସାମ୍ନା କରୁଛନ୍ତି ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts