ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନାଗପୁରରେ ଥିବା ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ(ଆରଏସଏସ)ର ମୁଖ୍ୟାଳୟକୁ ଗୁରୁବାର ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଘେରାଉ କରିବାକୁ ଉଦ୍ୟମ କରାଯାଇଛି। ଏହି ଘଟଣାରେ ପୋଲିସ ଆରଏସଏସ ମୁଖ୍ୟାଳୟ ବାହାରେ କିଛି ଲୋକଙ୍କୁ ଅଟକ ରଖିଛି। ଏହା ବ୍ୟତୀତ ଆରଏସଏସ ମୁଖ୍ୟାଳୟ ବାହାରେ ସୁରକ୍ଷାକୁ ବୃଦ୍ଧି କରାଯିବା ସହିତ ସେହି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି।

ଭାମନ ମେଶ୍ରମଙ୍କ ନେତୃତ୍ୱାଧୀନ ଭାରତ ମୁକ୍ତି ମୋର୍ଚ୍ଚା ଆଜି ନାଗପୁରର ଆରଏସଏସ ମୁଖ୍ୟାଳୟକୁ ଘେରାଉ କରିବାକୁ ଉଦ୍ୟମ କରିଛନ୍ତି। ଆରଏସଏସର ଆଦର୍ଶ ଭାରତୀୟ ସମ୍ବିଧାନ ଅନୁଯାୟୀ ନୁହେଁ ବୋଲି ସେମାନେ ଦାବି କରିଛନ୍ତି। ସେପଟେ ପୋଲିସ ଏହି ଘେରାଉର ନେତୃତ୍ୱ ନେଉଥିବା ଭମାନ ମେଶ୍ରମଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ଏହି ଘେରାଉ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶତାଧିକ ଭାରତ ମୁକ୍ତି ମୋର୍ଚ୍ଚାର କର୍ମୀ ନାଗପୁରରେ ପହଞ୍ଚିଥିଲେ। ତେବେ ଏହି ପଦଯାତ୍ରା ପାଇଁ ପୂର୍ବରୁ ପୋଲିସ ଅନୁମତି ଦେଇ ନ ଥିଲା। ତଥାପି ସେମାନେ ଆରଏସଏସ କାର୍ଯ୍ୟାଳୟ ନିକଟରେ ଏକତ୍ର ହୋଇଥିଲେ। ତେଣୁ ପୋଲିସ ଏହି କାର୍ଯ୍ୟକ୍ରମକୁ ଅଟକାଇବା ସହିତ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରିଛି।