ମୟୂରଭଞ୍ଜ ଜିଲ୍ଲାରେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା

ବାରିପଦା : ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲାରେ ଏବେ ଅଲୋଡ଼ା ପାଲଟିଛି ଝିଅ ଙ୍କ ସଂଖ୍ୟା । ସେହି ଜିଲ୍ଳାର ଝିଅ ଦ୍ରୌପଦୀ ମୁର୍ମୁ ଏବେ ଭାରତର ରାଷ୍ଟ୍ରପତି। ଜିଲ୍ଲାରେ ନାରୀଶକ୍ତିର ପ୍ରତୀକ ହେଉଛନ୍ତି ଶ୍ରୀମତୀ ମୁର୍ମୁ। ହେଲେ ବିଭିନ୍ନ କାରଣରୁ ଏହି ଜିଲ୍ଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମିବାରେ ଲାଗିଛି।

ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ; ୨୦୧୯-୨୦ ମସିହାରେ ଜିଲ୍ଲାରେ ୩୯ ହଜାର ୭୨୦ ଶିଶୁ ଜନ୍ମ ହୋଇଥିଲେ। ସେଥିମଧ୍ୟରୁ ୨୦ ହଜାର ୨୨୫ ପୁଅ ଓ ୧୯ ହଜାର ୪୯୫ ଜଣ ଝିଅ ଅଛନ୍ତି। ଅନୁପାତକୁ ଦେଖିଲେ ୧୦୦୦ ପୁଅରେ ୯୬୪ ଝିଅ ଜନ୍ମ ହୋଇଛନ୍ତି। ବିଶୋଇ ବ୍ଲକ୍‌ରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଉଦ୍‌ବେଗଜନକ ହାରରେ କମିଛି। ଏହି ବ୍ଲକ୍‌ରେ ୨୦୧୯-୨୦ରେ ୧୦୦୦ ପୁଅରେ ୭୬୮ ଝିଅ ଜନ୍ମ ହୋଇଥିଲେ। ସେହିପରି ବଡ଼ସାହି, କୁଳିଅଣା, ବାଙ୍ଗିରପୋଷି, ବାରିପଦା, କରଞ୍ଜିଆ, କୁସୁମୀ, ସାରସକଣା, ଉଦଳା ଆଦି ବ୍ଲକ୍‌ରେ ପୁଅ ତୁଳନାରେ ଝିଅ ସଂଖ୍ୟା କମିଥିବା ବେଳେ ଗୋପବନ୍ଧୁନଗର, ଯଶିପୁର, ମୋରଡ଼ା, ରରୁଆଁ, ରାସଗୋବିନ୍ଦପୁର, ଶାମାଖୁଣ୍ଟା, ବିଜାତଳା ଆଦି ବ୍ଲକ୍‌ରେ ପୁଅ ତୁଳନାରେ ଝିଅ ସଂଖ୍ୟା ସାମାନ୍ୟ ଅଧିକ ରହିଛି।

ଅନୁରୂପ ଭାବେ ୨୦୨୦-୨୧ରେ ଜିଲ୍ଲାରେ ୪୦ ହଜାର ୬୮୪ ଜଣ ଶିଶୁ ଜନ୍ମ ହୋଇଥିବାବେଳେ ସେଥିରୁ ୨୦ ହଜାର ୬୭୦ ପୁଅ ଓ ୨୦ ହଜାର ୧୪ ଝିଅ। ଅନୁପାତ ଅନୁଯାୟୀ, ୧୦୦୦ ପୁଅରେ ଝିଅ ସଂଖ୍ୟା ଥିଲା ୯୬୮। ଏହି ବର୍ଷ ଶୁଳିଆପଦା ବ୍ଳକରେ ପୁଅ ତୁଳନାରେ ଝିଅସଂଖ୍ୟା ସବୁଠାରୁ କମ୍‌ ଅର୍ଥାତ ୧୦୦୦ରେ ୯୧୭ ରହିଥିଲା। ବ‌ାରିପଦା, କପ୍ତିପଦା, ଯଶିପୁର, ରାଇରଙ୍ଗପୁର, ରାସଗୋବିନ୍ଦପୁର ବ୍ଲକ୍‌ରେ ପୁଅ ତୁଳନାରେ ଝିଅ ସଂଖ୍ୟା ଅଧିକ ହ୍ରାସ ପାଇଥିଲା। ୨୦୨୧-୨୨ରେ ଆଜି ସୁଦ୍ଧା ଜିଲ୍ଲାରେ ୩୯ ହଜାର ୧୬୪ ଜଣ ଶିଶୁ ଜନ୍ମ ହୋଇଛନ୍ତି। ସେଥିରୁ ପୁଅସଂଖ୍ୟା ୧୯ ହଜାର ୯୨୮ ଥିବା ବେଳେ ଝିଅସଂଖ୍ୟା ରହିଛି ୧୯ ହଜାର ୨୩୬। ଅନୁପାତ ହିସାବରେ ଏବର୍ଷ ୧୦୦୦ ପୁଅରେ ଝିଅସଂଖ୍ୟା ୯୬୫ ରହିଛି। ଚଳିତବର୍ଷ କୁଳିଅଣା ବ୍ଲକ୍‌ରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ସବୁଠୁ ଅଧିକ କମିଛି। ଏଠାରେ ୧୦୦୦ ପୁଅରେ ମାତ୍ର ୮୨୯ ଝିଅ ଜନ୍ମ ହୋଇଛନ୍ତି। ସେହିଭଳି ବେତନଟୀ, ଗୋପବନ୍ଧୁନଗର, ଯଶିପୁର, ଶାମାଖୁଣ୍ଟା, ଶୁଳିଆପଦା, ବଡ଼ସାହି, ବାଙ୍ଗିରପୋଷି, ବାରିପଦା, ବିଜାତଳା, ଜାମଦା, କପ୍ତିପଦା, କରଞ୍ଜିଆ, ଖୁଣ୍ଟା, ମୋରଡ଼ା, ରାଇରଙ୍ଗପୁର, ସାରସକଣା, ଶୁକୃଳି, ଠାକୁରମୁଣ୍ଡା ବ୍ଲକ୍‌ରେ ପୁଅଙ୍କ ତୁଳନାରେ ଝିଅଙ୍କ ଅନୁପାତ କମ୍ ରହିଛି। ଜିଲ୍ଲା ସଦର ମହକୁମା ବାରିପଦାରେ ଲଗାତାର ୩ ବର୍ଷ ଧରି ପୁଅ ତୁଳନାରେ ଝିଅ ସଂଖ୍ୟା କମିବା ଲିଙ୍ଗଗତ ସନ୍ତୁଳନର ଘୋର ବିଲକ୍ଷଣ ବୋଲି କୁହାଯାଉଛି।

ପୁଅ-ଝିଅ ସମାନ। କନ୍ୟାଭ୍ରୂଣ ହତ୍ୟା ଧର୍ତ୍ତବ୍ୟ ଅପରାଧ। ଏ ବାବଦରେ ଯେତେ କଠୋର ଆଇନ କିମ୍ବା କଟକଣା ଜାରି ହେଲେ ମଧ୍ୟ ଲୋକେ ହେଜୁନାହାନ୍ତି। ଫଳରେ ଲିଙ୍ଗଗତ ତାରତମ୍ୟ ବୃଦ୍ଧି ପାଉଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ରବିନାରାୟଣ ସୁବୁଦ୍ଧି। ଏବେ ବି ଲୁଚାଛପାରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରାଯାଇ ମା ପେଟରୁ କନ୍ୟାଭ୍ରୂଣକୁ ହତ୍ୟା କରାଯାଉଥିବା ଡାକ୍ତର ସୁବୁଦ୍ଧି କହିଛନ୍ତି। ଯେଉଁ ମାଟିରୁ ଜନ୍ମିତ ଦ୍ରୌପଦୀ ମୁର୍ମୁ ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବିରେ ଅଧିଷ୍ଠିତ ହୋଇଛନ୍ତି, ଯେଉଁଠି ସୁଶିଳା ତିରିଆ, ସରସ୍ବତୀ ହେମ୍ବ୍ରମ୍‌, ସରୋଜିନୀ ହେମ୍ବ୍ରମ୍‌, ମମତା ମହାନ୍ତ, ବାସନ୍ତୀ ହେମ୍ବ୍ରମ୍‌, ଦମୟନ୍ତୀ ବେଶ୍ରା, ସ୍ନେହା ସୋରେନ୍, ପୂର୍ଣ୍ଣିମା ହେମ୍ବ୍ରମ୍‌ଙ୍କ ଭଳି ଝିଅ ଈର୍ଷଣୀୟ ସଫଳତା ପାଇଛନ୍ତି; ସେଠାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମିବା ଚିନ୍ତାର ବିଷୟ। ସାମାଜିକ ସନ୍ତୁଳନ କ୍ଷେତ୍ରରେ ଏହା ବିଷମ ପରିସ୍ଥିତି ସୃଷ୍ଟି କରିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ବେଳ ଥାଉ ଥାଉ ପଦକ୍ଷେପ ନେବା ଜରୁରୀ

Related Posts