
ଆଡିଲେଡ୍ରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ବର୍ଷା ବାଧାପ୍ରାପ୍ତ ହୋଇଛି । ତୃତୀୟ ଦିନରେ ସକାଳୁ ଘରୋଇ ଦଳ 235 ରନ୍ରେ ଅଲ୍ଆଉଟ୍ ହୋଇଯାଇଛି । ଦୁଇ ଭାରତୀୟ ପେସର ମହମ୍ମଦ ସାମି ଓ ଜଶପ୍ରୀତ୍ ବୁମ୍ରା ଆଷ୍ଟ୍ରେଲିଆ ଦଳକୁ ୨୩୫ରନ୍ରେ ସୀମିତ ରଖିଛନ୍ତି । ମହମ୍ମଦ ସାମି 2ଟି ୱିକେଟ୍ ନେଇଥିବାବେଳେ ବୁମ୍ରା ଜଣେ କଙ୍ଗାରୁ ବ୍ୟାଟ୍ସମ୍ୟାନ୍ଙ୍କୁ ଆଉଟ୍ କରିଛନ୍ତି ।
ଗତକାଲିର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୯୧/୭ ରୁ ଆଜି ଖେଳ ଆରମ୍ଭ କରିଥିବା ଘରୋଇ ଦଳ ୨ଶହ ରନ୍ ପୂର୍ଣ୍ଣ କରିବା ପରେ ଅଷ୍ଟମ ୱିକେଟ୍ର ପତ୍ତନ ହୋଇଥିଲା । ବୁମ୍ରା ତୃତୀୟ ଦିନର ପ୍ରଥମ ଖେଳାଳି ତଥା ଆଷ୍ଟ୍ରେଲିଆର ୮ମ ଓ୍ଵିକେଟ୍ ଭାବେ ମିସେଲ୍ ଷ୍ଟାର୍କଙ୍କୁ ଆଉଟ୍ କରିଥିଲେ । ଷ୍ଟାର୍କଙ୍କ ଆଉଟ୍ ପରେ ଲିୟନ ବ୍ୟାଟିଂ କରିବାକୁ ଆସି ଦ୍ରୁତ ରନ୍ ସଂଗ୍ରହ କରି ଆଷ୍ଟ୍ରେଲିଆର ସ୍କୋର ୨୩୫ ରନ୍ରେ ପହଞ୍ଚାଇଥିଲେ ।
ଏହି ସମୟରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ହେଡ୍ (୭୨ରନ୍) ମହମ୍ମଦ ସାମିଙ୍କ ଶିକାର ହୋଇଥିଲେ । ସାମି ହେଡ୍ଙ୍କୁ ଋଷଭ ପନ୍ଥଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରି ଏହି ମ୍ୟାଚ୍ରେ ପ୍ରଥମ ଓ୍ଵିକେଟ୍ ହାସଲ କରିଥିଲେ । ପରେ ବ୍ୟାଟିଂ କରିବାକୁ ଆସିଥିବା ଜୋସ୍ ହାଜଲଉଡ୍ଙ୍କୁ ସାମି ପରବର୍ତ୍ତୀ ବଲରେ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରାଇ ଦେଇଥିଲେ । ଫଳରେ ଘରୋଇ ଦଳ ୨୩୫ରନ୍ରେ ହିଁ ସୀମିତ ରହିଥିଲା । ଭାରତକୁ ପ୍ରଥମ ଇନିଂସରେ ମାତ୍ର ୧୫ ରନ୍ର ଅଗ୍ରଣୀ ମିଳିଛି । ତେବେ ବର୍ଷା ଯୋଗୁଁ ଖେଳ ଦୁଇ ଦୁଇଥର ବାଧାପ୍ରାପ୍ତ ହୋଇଥିଲା ।