ଆଡିଲେଡ୍‌ରେ ସ୍ଥିତି ସମ୍ଭାଳିଲା ଅଷ୍ଟ୍ରେଲିଆ

ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ବେ ଆଡିଲେଡ୍‌ ଟେଷ୍ଟରେ ସ୍ଥିତି ସମ୍ଭାଳିଲା ଅଷ୍ଟ୍ରେଲିଆ । ଭାରତର ପ୍ରଥମ ଇନିଂସ ସ୍କୋର 250 ରନ୍‌ ଜବାବରେ ଦ୍ବିତୀୟ ଦିନ ଖେଳ ସୁଦ୍ଧା ଅଷ୍ଟ୍ରେଲିଆ 7 ୱିକେଟ୍‌ ହରାଇ କରିଛି 191 ରନ୍‌ । 59 ରନ୍‌ ମଧ୍ୟରେ ତିନିଟି ୱିକେଟ୍‌(କ୍ୟାପଟେନ୍‌ ଆରୋନ ଫିଞ୍ଚ, ମାର୍କସ ହ୍ୟାରିସ ଓ ଶନ୍‌ ମାର୍ଶ) ହରାଇ ଅଷ୍ଟ୍ରେଲିଆ ସଂକଟରେ ପଡ଼ିଥିଲା ।

ତେବେ ଉସମାନ ଖ୍ବାଜା ଓ ହ୍ୟାଣ୍ଡସକମ୍ବ ଚତୁର୍ଥ ୱିକେଟରେ 38 ରନ୍‌ ଯୋଡ଼ି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଥିଲେ । ପରେ ଟ୍ରାଭିସ ହେଡ୍‌ଙ୍କ ଅର୍ଧଶତକ ବଳରେ ସ୍ଥିତି ସୁଧାରିଥିଲା ଦଳ । ହ୍ୟାଣ୍ଡସକମ୍ବ 37 ରନ୍‌ କରି ଆଉଟ ହୋଇଥିବା ବେଳେ ହେଡ୍‌ 61 ରନ୍‌ ଓ ଷ୍ଟାର୍କ 8 ରନ୍‌ କରି ଅପରାଜିତ ଅଛନ୍ତି ।

ଭାରତ ପକ୍ଷରୁ ଆର୍‌ ଅଶ୍ବିନ 3 ୱିକେଟ ନେଇଥିବା ବେଳେ ଇଶାନ୍ତ ଶର୍ମା ଓ ବୁମ୍‌ରା 2ଟି ୱିକେଟ ନେଇଛନ୍ତି । ପୂର୍ବରୁ ୯ ୱିକେଟରେ ୨୫୦ ରନ୍‌ରୁ ଦ୍ବିତୀୟ ଦିନ ଖେଳ ଆରମ୍ଭ କରିଥିବା ଭାରତ ଆଉ କୌଣସି ରନ୍‌ ଯୋଡ଼ିବା ପୂର୍ବରୁ ଅଲ୍‌ ଆଉଟ ହୋଇଥିଲା ।

Related Posts