ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ: ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୨୫୭/୪

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଦ୍ୱିତୀୟ ତଥା ବକ୍ସିଂ ଡେ’ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିନ ଅଷ୍ଟ୍ରେଲିଆ ନାଁରେ ରହିଛି । ଷ୍ଟିଭେନ୍ ସ୍ମିଥ୍ ଓ ମାର୍ନସ୍ ଲାବୁଶେନଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୯୦ ଓଭରରେ ୪ ୱିକେଟ୍ ହରାଇ ୨୫୭ ରନ୍ କରିଛି । ୧୯୮୭ ପରେ ନ୍ୟୁଜିଲ୍ୟାଣ୍ଡ୍ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ପ୍ରଥମ ‘ବକ୍ସିଂ ଡେ’ଟେଷ୍ଟ ଖେଳୁଛି । କ୍ୟାପଟେନ୍ କେନ୍ ୱିଲିୟମସନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଆକାଶରେ ବାଦଲ ରହିଥିବାରୁ ତାଙ୍କର ଏହି ନିଷ୍ପତ୍ତି ସଠିକ୍ ସାବ୍ୟସ୍ତ ହୋଇଥିଲା । କାରଣ ମ୍ୟାଚର ପ୍ରଥମ ଓଭରରେ ହିଁ ଜୋ ବର୍ନସ୍ (୦) ଆଉଟ୍ ହୋଇଥିଲେ ଏବଂ ମଧ୍ୟାହ୍ନ ଭୋଜନ ପୂର୍ବରୁ ଡେଭିଡ୍ ୱାର୍ଣ୍ଣର୍ (୪୧) ମଧ୍ୟ ପ୍ୟାଭିଲିୟନ୍ ଫେରିଥିଲେ। ଏହା ପରେ ୨୦୧୯ରେ ସର୍ବାଧିକ ରନ୍ କରିଥିବା ଲାବୁଶେନ୍ (୬୩) ଓ ସ୍ମିଥ୍ ଅର୍ଦ୍ଧଶତକ ମାରି ଅଷ୍ଟ୍ରେଲିଆକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ ଏବଂ ଶୃଙ୍ଖଳିତ ବୋଲିଂ କରିବା ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କୁ ନିରାଶ କରିଥିଲେ । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ସ୍ମିଥ୍ ୭୭ ଓ ଟ୍ରାଭିସ୍ ହେଡ୍ ୨୫ ରନରେ ବ୍ୟାଟିଂ କରୁଥିଲେ। ନ୍ୟୁଜିଲ୍ୟାଣ୍ଡ୍ ବୋଲର କଲିନ୍ ଡି’ଗ୍ରାଣ୍ଡହୋମ୍ ୪୮ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ ।

ଏହି ମ୍ୟାଚକୁ ନ୍ୟୁଜିଲ୍ୟାଣ୍ଡ୍ ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟ ପ୍ରତ୍ୟାବର୍ତ୍ତନ କରିଥିଲେ । ବୋଲ୍ଟ ନିଜର ପ୍ରଥମ ତିନି ବଲରେ ୱାର୍ଣ୍ଣରଙ୍କୁ ସମସ୍ୟାରେ ପକାଇଥିଲେ ଏବଂ ଚତୁର୍ଥ ବଲରେ ବର୍ନସଙ୍କ ମିଡିଲ୍ ଷ୍ଟମ୍ପ୍ ଭାଙ୍ଗି ଦେଇଥିଲେ । ଏହା ପରେ ୱାର୍ଣ୍ଣର୍ ଓ ଜବରଦସ୍ତ ଫର୍ମରେ ଥିବା ଲାବୁଶେନ୍ ଇନିଂସକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ, କିନ୍ତୁ ନିଲ୍ ୱାଗନର ମଧ୍ୟାହ୍ନ ଭୋଜନ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡକୁ ଦ୍ୱିତୀୟ ସଫଳତା ଦେଇଥିଲେ। ୱାଗନର ନିଜର ସୁଇଂ ବଳରେ ୱାର୍ଣ୍ଣରଙ୍କୁ ଆଉଟ୍ କରିଥିଲେ ।

ଲାବୁଶେନ୍ ପୁଣିଥରେ ଅଷ୍ଟ୍ରେଲିଆ ପାଇଁ ସଙ୍କଟମୋଚକ ସାଜିଥିଲେ । କିନ୍ତୁ ସେ ବ୍ୟକ୍ତିଗତ ୬୩ ରନରେ ବ୍ୟାଟିଂ କରୁଥିବା ବେଳେ ଗ୍ରାଣ୍ଡହୋମଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ । ଆଉଟ୍ ହେବା ପୂର୍ବରୁ ଲାବୁଶେନ୍ ସ୍ମିଥଙ୍କ ସହ ତୃତୀୟ ୱିକେଟ୍ ପାଇଁ ୮୩ ରନ୍ ଯୋଡ଼ିଥିଲେ । ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ମାଥ୍ୟୁ ୱେଡ୍ ଭଲ ବ୍ୟାଟିଂ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ସେ ବ୍ୟକ୍ତିଗତ ୩୮ ରନ୍ କରିଥିବା ବେଳେ ଗ୍ରାଣ୍ଡହୋମଙ୍କ ବଲରେ ୱିକେଟକିପର ବିଜେ ୱାଟଲିଙ୍ଗଙ୍କ ଦ୍ବାରା କ୍ୟାଚ୍ ଆଉଟ ହୋଥିଲେ। ସ୍ମିଥ୍ ଓ ୱେଡ୍ ଚତୁର୍ଥ ୱିକେଟ୍ ପାଇଁ ୭୨ ରନର ଭାଗୀଦାରୀ କରିଥିଲେ । ସ୍ମିଥ୍ ୧୦୩ ବଲରେ ନିଜର ୨୮ତମ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା ମଧ୍ୟରେ ସେ ଗ୍ରେଗ୍ ଚାପେଲ୍ (୭୧୧୦ ରନ୍‌)ଙ୍କୁ ପଛରେ ପକାଇଥିଲେ ଏବଂ ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ଟେଷ୍ଟ ରନ୍ କରିବାରେ ଦଶମ ବ୍ୟାଟ୍ସମ୍ୟାନ୍ ହୋଇଥିଲେ ।

Related Posts