ପାକ୍‌ର ଘଡ଼ିୟାଲି ଦରଦ ଓଡ଼ିଶା ପାଇଁ ବିପଦ

(ସତ୍ୟପାଠ ବ୍ୟୁରୋ) ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇବା ବାହାନାରେ ଓଡ଼ିଶାକୁ ପାକିସ୍ତାନର ଟାର୍ଗେଟ । ପାକିସ୍ତାନ ସେନା ମୁଖପାତ୍ର ମେଜର ଜେନେରାଲ ଆସିଫ୍ ଘଫୁର୍ ଟ୍ବିଟ୍ କରି ‘ପାକିସ୍ତାନ ସମେତ ବିଶ୍ୱର ସମସ୍ତ ଖ୍ରୀଷ୍ଟିଆନମାନଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି । ବିଶେଷ କରି ଓଡ଼ିଶା ଭଳି ହିନ୍ଦୁତ୍ୱ ପରିବେଶରେ ଥିବା ଖ୍ରୀଷ୍ଟିଆନଙ୍କୁ ଶୁଭେଚ୍ଛା ଜଣାଇ ଓଡ଼ିଶା ପାଇଁ ଏକ କୋଡ ଛାଡ଼ିଥିବା କୁହାଯାଉଛି । ଏଭଳି ସଙ୍କେତକୁ ସାଧାରଣ ଲୋକ ବୁଝିପାରି ନଥିଲେ ବି ଏହାକୁ ଗୁରୁତ୍ବର ସହ ନେଇଛନ୍ତି ପୂର୍ବତନ ସେନା ଅଧିକାରୀ ।

ପୂର୍ବତନ ସେନା ଅଧିକାରୀଙ୍କ କହିବା କଥା, ଆସିଫ୍‌ଙ୍କ ଶୁଭେଚ୍ଛା ବାର୍ତ୍ତା ଭିତରେ ଓଡ଼ିଶା ପାଇଁ ରହିଛି ବିପଦର ସଙ୍କେତ । ଏହାକୁ ବୁଝାଇବାକୁ ଯାଇ ପୂର୍ବତନ ସେନା ଅଧିକାରୀ କହିଛନ୍ତି ଯେ, ଓଡ଼ିଶାକୁ ଅଶାନ୍ତ କରିବା ପାଇଁ ପାକିସ୍ତାନ କୌଣସି ଚାଲ୍ ଖେଳୁଥିବା ଆଶଙ୍କା ହେଉଛି । ୟା ଭିତରେ ବୋଧହୁଏ ଓଡ଼ିଶା ଉପରେ ଆକ୍ରମଣ ହୋଇପାରେ । ପାକ୍‌ ସେନାର ମୁଖପାତ୍ରଙ୍କ ଏଭଳି ଟ୍ବିଟ୍‌କୁ ଗୁରୁତ୍ବ ଦେବା ସହ ଗୁଇନ୍ଦା ବିଭାଗ ଏହାର ଉଦ୍ଦେଶ୍ୟ ଜାଣିବା ଜରୁରୀ ।

ପାକ୍‌ର ସାଙ୍କେତିକ ଶୁଭେଚ୍ଛା ଓଡ଼ିଶା ପାଇଁ ହୋଇପାରେ ବିପଦ !

ଏଭଳି ଘଡ଼ିୟାଲି ଶୁଭେଚ୍ଛା ଓଡ଼ିଶାକୁ ଅଶାନ୍ତ କରିବା ପାଇଁ ଏକ ଚାଲ୍ ନୁହେଁ ତ ?

ଓଡ଼ିଶାରେ ଥିବା ଖ୍ରୀଷ୍ଟିଆନଙ୍କୁ ହଠାତ୍ କାହିଁକି ପାକିସ୍ତାନ ସେନାର ମୁଖପାତ୍ର ଶୁଭେଚ୍ଛା ଜଣାଇଲେ ?

ଓଡ଼ିଶାରୁ ଖସିଯାଇଥିବା କିଛି ସନ୍ଦିଗ୍ଧଙ୍କୁ ନେଇ ପାକିସ୍ତାନ ଆକ୍ରମଣ ପାଇଁ ଯୋଜନା କରୁଛି କି ?

କେନ୍ଦ୍ର ସରକାର କାଶ୍ମୀରରୁ ୩୭୦ଧାରା ଉଚ୍ଛେଦ, ସିଏଏ ଲାଗୁ କରିବା ପରେ ପାକିସ୍ତାନ ଭାରତ ପଛରେ ପଡ଼ିଯାଇଛି । ଦେଶର ବିଭିନ୍ନ ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବାକୁ ବିଭିନ୍ନ ସମୟରେ ବୟାନବାଜି ଜାରି ରଖିଛି । ହଠାତ୍ ପାକିସ୍ତାନ ସେନା ଟାର୍ଗେଟରେ ଓଡ଼ିଶା ଆସିବା ପରେ ଓଡ଼ିଶାକୁ ଅଶାନ୍ତ କରିବା ପାଇଁ ପାକିସ୍ତାନ କୌଣସି ଚାଲ୍ ହୋଇଥାଇପାରେ । ପୂର୍ବରୁ ପାକିସ୍ତାନର ବିଭିନ୍ନ ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍ ଥିବା ଅଭିଯୋଗରେ ଓଡ଼ିଶାରୁ କେତେକ ଯୁବକଙ୍କୁ ଗିରଫ କରାଯାଇଛି । ବିଭିନ୍ନ ଆତଙ୍କବାଦୀ ସଂଗଠନ ସହ ସାମିଲ୍ ଥିବା ସନ୍ଦିଗ୍ଧ ଆତଙ୍କବାଦୀ ଭୁବନେଶ୍ବର, ରାଉରକେଲା, ବ୍ରହ୍ମପୁର ଭଳି ସହରରେ କିଛିଦିନ ରହିବା ପରେ ଖସିଯାଇଥିବାରୁ ଏବେ ପାକିସ୍ତାନ ଓଡ଼ିଶାରେ ବଡ଼ ଧରଣର ବଡ଼ ଆକ୍ରମଣ କରିବାକୁ ଯୋଜନା କରୁଥାଇ ପାରେ ବୋଲି ଅନୁମାନ କରାଯାଉଛି ।

ଦେଶର ଅନ୍ୟ ରାଜ୍ୟରେ ବହୁସଂଖ୍ୟକ ଖ୍ରୀଷ୍ଟିଆନ ଥିବାବେଳେ ସେ ଓଡ଼ିଶାକୁ କାହିଁକି ଏଭଳି ଘଡ଼ିୟାଲି ଶୁଭେଚ୍ଛା ଜଣାଇଲେ ବାଛିଲେ ତାହାକୁ ନେଇ ଉଠୁଛି ପ୍ରଶ୍ନ । ଓଡ଼ିଶା ଏକ ଆଦିବାସୀବହୁଳ ରାଜ୍ୟ ହୋଇଥିବା ବେଳେ ଏଠାରେ ପ୍ରାୟ ୧୭.୧୩% ଆଦିବାସୀ ଅଛନ୍ତି । ଓଡ଼ିଶାର ଉପାନ୍ତ ଅଞ୍ଚଳରେ ବହୁ ଆଦିବାସୀ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ ହେଁ ଓଡ଼ିଶାରେ ଏବେ ୨.୭୭% ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଅଛନ୍ତି । ଭାରତର ଅନ୍ୟ ରାଜ୍ୟ ତୁଳନାରେ ଏହା ବହୁତ କମ୍ । ୨୦୧୧ ଜନଗଣନା ଅନୁଯାୟୀ, ଓଡ଼ିଶାରେ ୧୧ଲକ୍ଷ ୬୧ହଜାର ୭୦୮ଜଣ ଖ୍ରୀଷ୍ଟିଆନ ଅଛନ୍ତି । ଯେତେବେଳେ କି ନାଗାଲାଣ୍ଡ, ମିଜୋରାମ୍ ଓ ମେଘାଳୟ ଭଳି ରାଜ୍ୟରେ ଅଧାରୁ ଅଧିକ ଖ୍ରୀଷ୍ଟିଆନ ଥିଲେ ହେଁ ହଠାତ୍ କାହିଁକି ଓଡ଼ିଶାର ଖ୍ରୀଷ୍ଟିଆନଙ୍କୁ ଖ୍ରୀଷ୍ଟମାସ ଶୁଭେଚ୍ଛା ଜଣାଇବାକୁ ପାକିସ୍ତାନ ସେନା ମନ ବଳାଇଲା ତାହା ଏବେ ବିରାଟ ପ୍ରଶ୍ନ ହୋଇଛି ।

ପାକିସ୍ତାନ ସେନାର ଏହି ଚାଲ୍ ପଛରେ କ’ଣ ରହସ୍ୟ ରହିଛି ସେନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟଠୁ ଆରମ୍ଭ କରି ବୈଦେଶିକ ମନ୍ତ୍ରଣାଳୟ ଏବଂ ଓଡ଼ିଶା ପୋଲିସ ଯାଏ କେହି କିଛି ସ୍ପଷ୍ଟ କରୁ ନାହାନ୍ତି ।

ପାକ୍‌ ସେନା ମୁଖପାତ୍ରଙ୍କ ଏଭଳି ଟ୍ବିଟକୁ ନେଇ ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ ଓଡ଼ିଶାରେ ଖ୍ରୀଷ୍ଟିଆନମାନେ ସୁରକ୍ଷିତ ଓ ସଶକ୍ତ ଅଛନ୍ତି । ପାକିସ୍ତାନ ଭଳି ନିର୍ଯ୍ୟାତିତ ନାହାନ୍ତି । ସେହିଭଳି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ପାକିସ୍ତାନର କାମ ହେଲା ସବୁବେଳେ ଭାରତ ବର୍ଷରେ କିଛି ନା କିଛି ଅସୁବିଧା ସୃଷ୍ଟି କରିବା । ପାକିସ୍ତାନ ପ୍ରଥମେ ନିଜ ଦେଶ କଥା ଚିନ୍ତା କରୁ, ଏଭଳି କଥା କହି ଓଡ଼ିଶା ଲୋକଙ୍କୁ ବିଭ୍ରାନ୍ତି କରିପାରିବ ନାହିଁ । ଏଥିରେ ପାକିସ୍ତାନର କିଛି ଲାଭ ହେବନି । ସେପଟେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ବିଜେପି ଏଭଳି ବାର୍ତ୍ତାକୁ ଗୁରୁତ୍ବ ଦିଏନି, ଓଡ଼ିଶା ଲୋକଙ୍କ ଉପରେ ଏହାର ପ୍ରଭାବ କିଛି ପଡ଼ିବ ନାହିଁ ।

Related Posts