(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ସଂକ୍ରମଣ ପାଇଁ ଦେଶର ରାଜଧାନୀ ଦିଲ୍ଲୀରେ ଲକଡାଉନ ଲାଗୁ କରାଯାଇଛି। ଏଥି ପାଇଁ ଅଟୋ ଓ ଟ୍ୟାକ୍ସି ଡ୍ରାଇଭରମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା କୁ ଦୂର କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଦୁଇ ମାସ ପାଇଁ ସହରରେ ୭୨ ଲକ୍ଷ ରାସନ କାର୍ଡଧାରୀଙ୍କୁ ମାଗଣା ରାସନ ଏବଂ ଅଟୋ-ରିକ୍ସା ଏବଂ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ୫୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ସେ କହିଛନ୍ତି ଯେ ଏହାର ଅର୍ଥ ନୁହେଁ ଯେ ଟ୍ରାନ୍ସମିସନ ଶୃଙ୍ଖଳା ଭାଙ୍ଗିବା ପାଇଁ ଜାତୀୟ ରାଜଧାନୀରେ ଲଗାଯାଇଥିବା ଲକଡାଉନ ଦୁଇ ମାସ ପର୍ଯ୍ୟନ୍ତ ଚାଲିବ। ସଂକ୍ରମଣ ହ୍ରାସ ପାଇବା କ୍ଷଣି ଲକଡାଉନ ହଟାଇ ଦିଆଯିବ। ଏହା କେବଳ ଆର୍ଥିକ ପଛୁଆ ବର୍ଗର ଲୋକମାନେ ଭୋଗୁଥିବା ସମସ୍ୟାକୁ ସାମାନ୍ୟ ଦୂର କରିବାକୁ ଗୋଟିଏ ପ୍ରୟାସ ଵୋଲି କହିଛନ୍ତି । ଏପରି ଏକ ଆର୍ଥିକ ସମସ୍ୟା ଭିତରେ ଦିଲ୍ଲୀରେ ସମସ୍ତ ଅଟୋ, ଟ୍ୟାକ୍ସି, ଇ-ରିକ୍ସା ଚାଳକଙ୍କୁ ସରକାର ୫ ହଜାର ଟଙ୍କା ଲେଖାଏ ଦେବେ। ଏହା ସିଧା ସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଏହା ସେମାନଙ୍କ କଷ୍ଟକୁ ସଂପୂର୍ଣ୍ଣ ଦୂର କରିପାରିବ ନାହିଁ ସତ କିନ୍ତୁ କିଛି ପରିମାଣରେ ଆଶ୍ୱସ୍ତ ଦେବ ବୋଲି କେଜ୍ରିୱାଲ କହିଛନ୍ତି । ଏହା ପୂର୍ବରୁ ମଧ୍ୟ ଶ୍ରମିକ ଓ ନିର୍ମାଣ କାମରେ ନିୟୋଜିତ ଲୋକ ମାନଙ୍କୁ ୫ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଦିଆଯାଇଥିଲା। ସେହିପରି ଗତବର୍ଷ ମଧ୍ୟ ଲକଡାଉନ ସମୟର କେଜ୍ରିୱାଲ ସରକାର ୫ ହଜାର ଟଙ୍କା ଲେଖାଏ ୧.୫୬ ଲକ୍ଷ ଅଟୋ ଡ୍ରାଇଭର ମାନଙ୍କୁ ଦେଇଥିଲେ।





