ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନ ପରେ ଏବେ ସମସ୍ତଙ୍କର ନଜର ରହିଛି ରେଜଲ୍ଟ ଉପରେ । ଏହା ମଧ୍ୟରେ ଏକ୍ସିସ୍ ମାଇଁ ଇଣ୍ଡିଆ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଏହାର ଏକ୍ଜିଟ୍ ପୋଲ୍ ପ୍ରକାଶ କରିବନି ବୋଲି ସଂଗଠନର ପ୍ରତିଷ୍ଠାତା ପ୍ରଦୀପ ଗୁପ୍ତା କହିଛନ୍ତି। ଭୋଟରମାନେ କାହାକୁ ଭୋଟ ଦେଇଛନ୍ତି ସେ ନେଇ ମୁହଁ ଖୋଲି ନଥିବାରୁ ବୁଥ୍ ବାହୁଡ଼ା ମତ ଦେବା ସମ୍ଭବ ନୁହେଁ ବୋଲି ଗୁପ୍ତା କହିଛନ୍ତି। ଭୋଟରମାନେ ତାଙ୍କ ସର୍ଭେକୁ ଗୁରୁତ୍ବ ଦେଇନଥିବା ସେ କହିଛନ୍ତି। ଏହା ସହ ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଆମେ ଲୋକଙ୍କୁ ମୁହାଁମୁହିଁ କଥା ହୋଇଥିଲୁ। କିନ୍ତୁ ୬୦-୭୦ ପ୍ରତିଶତ ଲୋକ ମୁହଁ ଖୋଲି ନଥିଲେ। ଏପରିକି ‘ହଁ’ କି ‘ନା’ ବି କହିନଥିଲେ। ଏବେ ନିର୍ବାଚନ ଶେଷ ହୋଇଯାଇଥିବାବେଳେ ଗୁରୁବାର ପୁଣି ଥରେ ଲୋକଙ୍କ ମତ ଜାଣିବାକୁ ଚେଷ୍ଟା କରିବୁ ବୋଲି ଗୁପ୍ତା ଗତକାଲି କହିଥିଲେ। କିନ୍ତୁ ଗୁରୁବାର ଅପରାହଣରେ ‘ଏକ୍ସିସ୍ ମାଇଁ ଇଣ୍ଡିଆ’ ତା’ର ଆକଳନ ପ୍ରକାଶ କରିବ ନାହିଁ ବୋଲି ସ୍ପଷ୍ଟ କରିଛି। ସେପଟେ ଅଧିକାଂଶ ଏକ୍ଜିଟ ପୋଲ ପଶ୍ଚିମବଙ୍ଗକୁ ନେଇ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ପଶ୍ଚିମବଙ୍ଗର ମୋଟ ୨୯୪ ବିଧାନସଭା ଆସନରୁ ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୨୩ରେ ୧୫୨ ଆସନ ଓ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୯ ତାରିଖରେ ୧୪୨ ଆସନରେ ମତଦାନ ଅନୁଷ୍ଠିତ ହୋଇଥିଲା।
