ଅଯୋଧ୍ୟା ରାମ ମନ୍ଦିର: ଟ୍ରଷ୍ଟ ନିକଟକୁ ଆସିଥିବା ୧୫ ହଜାରଟି ଚେକ୍‌ ବାଉନ୍ସ

ଲକ୍ଷ୍ନୌ: ଅଯୋଧ୍ୟାରେ ନିର୍ମାଣ ଚାଲିଛି ବିଶ୍ଵ ପ୍ରସିଦ୍ଧ ରାମ ମନ୍ଦିର । ଏନେଇ ସମଗ୍ର ଦେଶ ତଥା ବିଦେଶରୁ ଛୁଟୁଛି ଦାନର ସୁଅ। ଏଥିନିମନ୍ତେ ଶ୍ରଦ୍ଧାଳୁ ଲକ୍ଷ ଲକ୍ଷ ଟଙ୍କା ଦାନ କରୁଛନ୍ତି। ହେଲେ ଏବେ ଶୁଣିବାକୁ ମିଳୁଛି, ଟ୍ରଷ୍ଟ ନିକଟକୁ ଆସିଥିବା ପ୍ରାୟ ୧୫ ହଜାରଟି ଚେକ୍‌ ବାଉନ୍ସ ହୋଇ ଯାଇଛି। ଏହି ଚେକ୍‌ରେ ଥିବା ଧନରାଶିର ମୂଲ୍ୟ ପ୍ରାୟ ୨୨ କୋଟି ଟଙ୍କାରୁ ଅଧିକ ହେବ । ବାଉନ୍ସ ହେବା କାରଣରୁ ଏହା ଆକାଉଣ୍ଟକୁ ଆସି ପାରି ନ ଥିବା ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି।

ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଜାରି ସୂଚନା ଅନୁଯାୟୀ, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଏ ପର୍ଯ୍ୟନ୍ତ ୩୪୦୦ କୋଟି ଟଙ୍କା ଦାନ ସୂତ୍ରରେ ମିଳି ସାରିଲାଣି। ।

ଅଯୋଧ୍ୟାରେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କାର୍ଯ୍ୟାଳୟ ପ୍ରବନ୍ଧକ ପ୍ରକାଶ ଗୁପ୍ତାଙ୍କ କହିବା ମୁତାବକ, ଏପରି ଚେକ୍‌କୁ ଅଲଗା କରିବା ପାଇଁ ଏକ ଅଲଗା ରିପୋର୍ଟ ପ୍ରସ୍ତୁତ କରାଯାଉଛି। ଏହାଦ୍ୱାରା ବାଉନ୍ସ ହେଉଥିବା ଚେକ୍‌ ସମ୍ପର୍କରେ ଆମେ ସଠିକ୍‌ ସୂଚନା ପାଇପାରିବୁ।

ଚେକ୍‌ରେ ରହି ଯାଉଥିବା ବନାନଗତ ତ୍ରୁଟି, ତାଳମେଳ ରହୁ ନ ଥିବା ହସ୍ତାକ୍ଷର, କିମ୍ବା ଅନ୍ୟ ତ୍ରୁଟି ଯୋଗୁ ଏହା ବାଉନ୍ସ ହେଉଛି। ଛୋଟ ତ୍ରୁଟି ଯୋଗୁ ବାଉନ୍ସ ହେଉଥିବା ଚେକ୍‌କୁ ପୁଣି ଥରେ ବ୍ୟାଙ୍କରେ ଡିପୋଜିଟ କରାଯିବ। ଏଥିସହ ଆକାଉଣ୍ଟରେ ଆବଶ୍ୟକ ପରିମାଣର ଅର୍ଥ ରାଶି ନ ଥିବା ବି ଚେକ୍‌ ବାଉନ୍ସ ହେବାର ପ୍ରମୁଖ କାରଣ ବୋଲି ସେ କହିଛନ୍ତି।

ଏ ଯାବତ ରାମ ମନ୍ଦିର ନିର୍ମାଣ ପାଇଁ ଲକ୍ଷେ ଟଙ୍କାରୁ ୫ ଲକ୍ଷ ପର୍ଯ୍ୟନ୍ତ ଦାନ ଦେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୧, ୬୬୩ ରହିଛି। ଏହାବାଦ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାନ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧,୪୨୮ ଅଛି। ପ୍ରାୟ ୧୨୫ ଜଣ ୨୫ ଲକ୍ଷରୁ ୫୦ ଲକ୍ଷ ଓ ୧୨୭ ଜଣ ୫୦ ଲକ୍ଷରୁ ୧ କୋଟି ମଧ୍ୟରେ ଦାନ କରିଛନ୍ତି । ୧ କୋଟିରୁ ଅଧିକ ଟଙ୍କା ଦାନ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୪ ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କାର୍ଯ୍ୟାଳୟ ପ୍ରବନ୍ଧକଙ୍କ ସୂତ୍ରରୁ ମିଳିଥିବା ସୂଚନା ଦିଆଯାଇଛି ।

Related Posts