ଆଜାଦଙ୍କୁ ଗେହେଲୋଟଙ୍କ ଟାର୍ଗେଟ; “ଗୁଲାମ ନବୀ ସଞ୍ଜୟ ଗାନ୍ଧୀଙ୍କର ଚାଟୁକାର ଥିଲେ”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତକାଲି କଂଗ୍ରେସର ସମସ୍ତ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି ଗୁଲାମ ନବୀ ଆଜାଦ । ଇସ୍ତଫା ଦେବା ସହ ନିଜ ଇସ୍ତଫା ପତ୍ରରେ କଂଗ୍ରେସରେ ଚାଟୁକାରିତା ନେଇ ପରୋକ୍ଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟଙ୍କ ଉପରେ ଆଙ୍ଗୁଳି ଉଠାଇଛନ୍ତି ଆଜାଦ୍। ଏହାପରେ ଏହାର ଜବାବ ଦେଇଛନ୍ତି ଅଶୋକ ଗେହେଲୋଟ। ଆଜାଦଙ୍କୁ ଟାର୍ଗେଟ୍‌ କରି ଗେହେଲୋଟ କହିଛନ୍ତି ଯେ, ଆଜାଦ୍ ସଞ୍ଜୟ ଗାନ୍ଧୀଙ୍କର ଚାଟୁକାର ଥିଲେ। ସବୁ ଅଭିଯୋଗର ଉତ୍ତର ଦେଇ ଗେହେଲୋଟ୍ କହିଛନ୍ତି “ଗୋଟେ ସମୟରେ ଗୁଲାମ ନବୀ ଆଜାଦ ମଧ୍ୟ ସଞ୍ଜୟ ଗାନ୍ଧୀଙ୍କ ସହ ଥିଲେ, ସେତେବେଳେ ସେମାନଙ୍କୁ ଏକପ୍ରକାର ଚାଟୁକାର ବୋଲି କୁହାଯାଉଥିଲା। କିନ୍ତୁ ସଞ୍ଜୟ ଗାନ୍ଧୀ ଏସବୁକୁ ଖାତିର କରୁନଥିଲେ। ଏଥିପାଇଁ ଗୁଲାମ ନବୀ ଆଜାଦ ଏତେ ବଡ଼ ନେତା ହୋଇଗଲେ।” କଂଗ୍ରେସ ଗୁଲାମ ନବୀ ଆଜାଦଙ୍କୁ ବହୁତ କିଛି ଦେଇଛି। ତାଙ୍କୁ ୪୨ ବର୍ଷ ଧରି ବିଭିନ୍ନ ପଦ ପଦବି ଦେଇଛି। ଆଜି ଦେଶରେ ତାଙ୍କର ଯେଉଁ ଛବି ରହିଛି ତାହା କେବଳ କଂଗ୍ରେସ ପାଇଁ ଓ ଇନ୍ଦିରା ଗାନ୍ଧୀ , ରାଜୀବ ଘାନ୍ଧୀ, ପିଭି ନରସିହ୍ମା ରାଓ ଏବଂ ସୋନିଆ ଗାନ୍ଧୀଙ୍କ ପାଇଁ। ଏମିତିରେ ତାଙ୍କର ଇସ୍ତଫା ମୋତେ ହତବାକ କରିଛି ବୋଲି ଗେହେଲୋଟ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଆଜାଦ ଦଳ ଛାଡ଼ିବା ପରେ ଏକ ଚିଠି ଲେଖି ରାହୁଲ ଗାନ୍ଧୀଙ୍କର ପିଲାଳିଆମି ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ରାହୁଲ ଗାନ୍ଧୀ ଅନୁଭବହୀନ ଚାଟୁକାର ଲୋକଙ୍କୁ ନେଇ ଦଳ ଚଲାଉଥିବା ଆଜାଦ ଚିଠିରେ ଅଭିଯୋଗ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ସୋନିଆ ଦଳର ଅଧ୍ୟକ୍ଷ ଭାବେ କେବଳ ନାଁକୁ ମାତ୍ର ରହିଛନ୍ତି। ପ୍ରକୃତରେ ରାହୁଲ ଗାନ୍ଧୀ ଓ ତାଙ୍କର ବ୍ୟକ୍ତିଗତ ସାହାୟକ ଓ ସୁରକ୍ଷା କର୍ମୀମାନେ ଦଳ ବିଷୟରେ ନିଷ୍ପତ୍ତି ନେଉଛନ୍ତି ବୋଲି ଆଜାଦ କହିଥିଲେ।

Related Posts