ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବାଜି ମାରିଛି । ରାଜ୍ୟରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି ଭାରତୀୟ ଜନତା ପାର୍ଟି । ଏହା ମଧ୍ୟରେ ରାମପୁରରେ ସମାଜବଦୀ ପାର୍ଟି ନେତା ଆଜମ ଖାନ ବିଜୟ ହାସଲ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ଆଜମ ଖାନ ବର୍ତ୍ତମାନ ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଅଛନ୍ତି । ଜେଲରେ ଥାଇ ମଧ୍ୟ ସେ ୫୫ ହଜାରରୁ ଅଧିକ ଭୋଟରେ ଜିତି ଇତିହାସ ସୃଷ୍ଟି କରିଛନ୍ତି ।
ସେ ଦଶମଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । ଅନ୍ୟପଟେ ବିଧାନସଭା ନିର୍ବାଚନରେ ଆଜମ ଖାନ ପ୍ରଚାର କରିପାରିନଥିଲେ । ଫେବୃଆରୀ ୮ ତାରିଖରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲା । ରାମପୁର ଆସନରୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଆଜମ ଖାନ ନିଜ ପାଇଁ ଏବଂ ଦଳ ପାଇଁ ପ୍ରଚାର ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦାବି କରିଥିଲେ । କିନ୍ତୁ ତାଙ୍କୁ ମିଳିନଥିଲା ।
