
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କର ବଢ଼ିଲା ଅଡୁଆ। ସେ ପୁଣି ଜେଲ୍ ଯାଇପାରନ୍ତି। ଉତ୍ତେଜନାମୂଳକ ଭାଷଣ ବା ହେଟ୍ ସ୍ପିଚ୍ ଦେବା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ତିନୋଟି ଧାରାରେ ରାମପୁର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ହେପାଜତକୁ ନିଆଯାଇଛି। ତେବେ ଖୁବଶୀଘ୍ର ତାଙ୍କୁ ଦଣ୍ଡାଦେଶ ଶୁଣାଇ ପାରନ୍ତି କୋର୍ଟ। ତାଙ୍କୁ ଅତି କମ୍ରେ ୩ ବର୍ଷର ଜେଲ୍ ଦଣ୍ଡାଦେଶ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏଭଳି ହେଲେ ସେ ତାଙ୍କ ବିଧାୟକ ପଦ ମଧ୍ୟ ହରାଇ ପାରନ୍ତି।
୨୦୧୯ ଏପ୍ରିଲ ୭ ତାରିଖରେ ରାମପୁରର ସମାଜବାଦି ପାର୍ଟି ଏବଂ ବାହୁଜନ ସମାଜ ପାର୍ଟିର ମିଳିତ ପ୍ରାର୍ଥୀ ମହମ୍ମଦ ଆଜାମ ଖାନ ତାଙ୍କ ନିର୍ବାଚନ ସଭାରେ ଭାଷଣ ଦେବାବେଳେ ରାମପୁରରେ ମୁତୟନ ହୋଇଥିବା ଅନେକ ପ୍ରଶାସନିକ ଅଧିକାରୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ।
ତାଙ୍କର ଏହି ଭାଷଣ ବିରୋଧ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବିଜେପି ନେତା ଅଜୟ ସକ୍ସେନା ଏହାକୁ ନେଇ ଆଜମ ଖାନ୍ଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏଥିସହ ଆଜମ ଖାନ୍ଙ୍କ ବିରୋଧରେ ନିର୍ବାଚନ ଆୟୋଗର ଭିଡିଓ ଟିମ୍ ଇନ୍ଚାର୍ଜ ଦ୍ୱାରା ଏକ ଏଫ୍ଆଇର୍ ମଧ୍ୟ ରୁଜୁ କରାଯାଇଥିଲା। ଆଜି ଏହି ପ୍ରସଙ୍ଗରେ ନିଷ୍ପତ୍ତି ଶୁଣାଇଛନ୍ତି କୋର୍ଟ। ଆଜାମ ଖାନଙ୍କ ବିରୋଧରେ ହେଟ୍ ସ୍ପିଚ୍ ଦେବା ଓ ଘୃଣା ସୃଷ୍ଟି କରାଇବା ଭଳି ଗୁରୁତର ମାମଲା ରୁଜୁ କରାଯାଇଥିଲା।