ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜମ୍ ଖାନଙ୍କ ପୁଅଙ୍କୁ ବଡ଼ ଆଶ୍ୱସ୍ତି । ରଦ୍ଦ ହେଲା ୭ ବର୍ଷର ଜେଲଦଣ୍ଡ । ତେବେ ଦୁଇଟି ପାସପୋର୍ଟ ମାମଲାରେ ଏମପି, ଏମଏଲଏ ମଜିଷ୍ଟ୍ରେଟ କୋର୍ଟ ୫ ଡିସେମ୍ବର ୨୦୨୫ ରେ ଅବ୍ଦୁଲ୍ଲା ଆଜମଙ୍କୁ ୭ ବର୍ଷର ସଜା ଶୁଣାଇଥିଲେ। ଏହି ରାୟ ବିରୋଧରେ ଅବ୍ଦୁଲ୍ଲା ଆଜମଙ୍କ ପକ୍ଷରୁ ଏମପି, ଏମଏଲଏ ସେସନ୍ କୋର୍ଟରେ ଆପିଲ ଦାଖଲ କରାଯାଇଥିଲା, ଯାହା ଉପରେ ଗତ ୨୫ ମଇରେ ଶୁଣାଣି ଶେଷ ହୋଇଥିଲା। ଏହି ମାମଲାରେ ଶୁକ୍ରବାର ରାୟ ଶୁଣାଇ କୋର୍ଟ ଅବ୍ଦୁଲ୍ଲା ଆଜମଙ୍କ ଆପିଲକୁ ମଞ୍ଜୁର କରିଥିଲେ ଏବଂ ପୂର୍ବରୁ ଦିଆଯାଇଥିବା ସଜାକୁ ରଦ୍ଦ କରିଦେଇଥିଲେ।

ସେପଟେ ବିଜେପି ବିଧାୟକ ଆକାଶ ସକ୍ସେନା ୩୦ ଜୁଲାଇ ୨୦୧୯ ରେ ରାମପୁରର ସିଭିଲ ଲାଇନ୍ସ ଥାନାରେ ଏକ ମାମଲା ରୁଜୁ କରିଥିଲେ। ଅଭିଯୋଗ ଥିଲା ଯେ, ଅବ୍ଦୁଲ୍ଲା ଆଜମ ଭିନ୍ନ ଭିନ୍ନ ଜନ୍ମତାରିଖ ଦେଖାଇ ଦୁଇଟି ପାସପୋର୍ଟ ତିଆରି କରିଥିଲେ। ଗୋଟିଏ ପାସପୋର୍ଟରେ ଜନ୍ମତାରିଖ ୧ ଜାନୁଆରୀ ୧୯୯୩ ଥିବାବେଳେ, ଅନ୍ୟଟିରେ ୩୦ ସେପ୍ଟେମ୍ବର ୧୯୯୦ ଦର୍ଶାଯାଇଥିବା ଅଭିଯୋଗ ହୋଇଥିଲା। ଏହାସହ ଉଭୟ ପାସପୋର୍ଟ ବ୍ୟବହାର କରି ବିଦେଶ ଯାତ୍ରା କରିଥିବା ଅଭିଯୋଗ ମଧ୍ୟ ଲଗାଯାଇଥିଲା। ଏହି ମାମଲା ଏମପି, ଏମଏଲଏ କୋର୍ଟରେ ବିଚାରାଧୀନ ଥିଲା।