ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନୂଆ ସରକାର ଆସିବା ପରେ ଠାରୁ ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ । ଏହା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଭୟଭୀତ ହୋଇ ଶତାଧିକ ବାଂଲାଦେଶୀ ନାଗରିକ ଏବେ ସ୍ୱଦେଶ ଫେରିବା ପାଇଁ ସୀମାନ୍ତ ଅଞ୍ଚଳ ଏବଂ ଟ୍ରାଞ୍ଜିଟ୍ ଟର୍ମିନାଲଗୁଡ଼ିକରେ ଭିଡ଼ ଜମାଇଛନ୍ତି। ଡିଟେନସନ ସେଣ୍ଟର ବା ବେଆଇନ ଅଟକ କେନ୍ଦ୍ରକୁ ଯିବା ଭୟରେ ଏହି ଅନୁପ୍ରବେଶକାରୀମାନେ ନିଜ ଇଚ୍ଛାରେ ବାଂଲାଦେଶ ଫେରିଯାଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ ବିଭିନ୍ନ ଗଣମାଧ୍ୟମ ସମ୍ମୁଖରେ ସେମାନେ କରିଥିବା ସ୍ୱୀକାରୋକ୍ତିରୁ ଭାରତ-ବାଂଲାଦେଶ ସୀମାରେ ଚାଲୁଥିବା ଏକ ବଡ଼ ଧରଣର ସଂଗଠିତ ଦଲାଲ୍ ନେଟୱର୍କ ଓ ଜାଲ୍ ପରିଚୟପତ୍ର ପ୍ରସ୍ତୁତିର ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି।

କିଛି ବାଂଲାଦେଶୀ ନାଗରିକ ପ୍ରକାଶ କରିଛନ୍ତି ଯେ, ସେମାନେ ବର୍ଷ ବର୍ଷ ଧରି, କେତେକ କ୍ଷେତ୍ରରେ ସାରା ଜୀବନ ଭାରତରେ ବେଆଇନ ଭାବେ ରହି ଆସୁଥିଲେ। ପଶ୍ଚିମବଙ୍ଗର ନୂତନ ସରକାର ଏହି ବେଆଇନ ପ୍ରକ୍ରିୟା ଉପରେ ଏବେ ସମ୍ପୂର୍ଣ୍ଣ ରୋକ୍ ଲଗାଇଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସ୍ପଷ୍ଟ ଭାବେ ଘୋଷଣା କରିଛନ୍ତି ଯେ, ବେଆଇନ ବାଂଲାଦେଶୀ ପ୍ରବାସୀଙ୍କୁ କୌଣସି ଆଶ୍ରୟ ଦିଆଯିବ ନାହିଁ କିମ୍ବା କୋର୍ଟରେ ହାଜର ନକରି ସିଧାସଳଖ ସୀମାରେ ବିଏସଏଫ ହାତରେ ସମର୍ପଣ କରାଯିବ। ଏହା ସହ ପୂର୍ବ ସରକାରଙ୍କ ସମୟରେ ପ୍ରଦାନ କରାଯାଉଥିବା ”ଲକ୍ଷ୍ମୀର ଭଣ୍ଡାର” ଯୋଜନାରୁ ପ୍ରାୟ ୩୦ ଲକ୍ଷ ଅଯୋଗ୍ୟ ତଥା ଅଣ-ଭାରତୀୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର ସମସ୍ତ ସରକାରୀ ସୁବିଧା କାଟି ଦିଆଯାଇଛି ଏବଂ ନୂତନ ”ଅନ୍ନପୂର୍ଣ୍ଣା ଭଣ୍ଡାର” ଯୋଜନାରୁ ସେମାନଙ୍କୁ ସମ୍ପୂର୍ଣ୍ଣ ଦୂରେଇ ରଖାଯାଇଛି।

ସେହିପରି ବେଆଇନ ପ୍ରବାସୀଙ୍କୁ ଘର ଭଡ଼ା ଦେଲେ ୨ ଲକ୍ଷ ଟଙ୍କାର ଜରିମାନା ଓ ୨ ବର୍ଷର ଜେଲ୍ ଦଣ୍ଡର ପ୍ରାବଧାନ କରାଯାଇଥିବାରୁ ଜମିମାଲିକମାନେ ମଧ୍ୟ ସେମାନଙ୍କୁ ବାହାର କରିଦେଉଛନ୍ତି, ଯାହାଫଳରେ ସେମାନଙ୍କ ପାଇଁ ଏଠାରେ ରହିବା ଅସମ୍ଭବ ହୋଇପଡ଼ିଛି। ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଦିନ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ଅନୁପ୍ରବେଶକାରୀମାନେ ନିଜ ଇଚ୍ଛାରେ ଦେଶ ଛାଡ଼ି ପଳାଉଥିବାରୁ ସରକାର ସେମାନଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ। ଏହା ସହ ସୀମା ସୁରକ୍ଷାକୁ ଅଧିକ ମଜବୁତ କରିବା ପାଇଁ ଚିକେନ୍ ନେକ୍ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ବିଏସଏଫକୁ ୬୦୦ ହେକ୍ଟର ଜମି ହସ୍ତାନ୍ତର କରିଥିବାରୁ ସେ ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି।