ପାଠପଢ଼ା ପାଇଁ ଆଖୁରସ ବିକୁଛନ୍ତି ବି.ଟେକ୍‌ ଛାତ୍ର

(ସତ୍ୟପାଠ ବ୍ୟୁରୋ) ଲକ୍ଷ୍ୟ ହାସଲ ପାଇଁ ଅର୍ଥ କେବେ ପ୍ରତିବନ୍ଧକ ସାଜେ ନାହିଁ । ଏଥିପାଇଁ ନିଷ୍ଠା, ନିରନ୍ତର ପ୍ରଚେଷ୍ଟା ଓ ଆନ୍ତରିକ ପ୍ରୟାସ ଜରୁରୀ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ମଲ୍ଲିକପାଟଣା ଗାଁର ସ˚ଗ୍ରାମ ମଲ୍ଲିକ । ଆଜିର ଯୁବପୀଢ଼ି ଯେଉଁଠି ଚାକଚକ୍ୟ ଭରା ଜୀବନ ବିତେଇବାକୁ ଚାହୁଁଛନ୍ତି ସେଠି ଉଚ୍ଚଶିକ୍ଷା (ବି.ଟେକ୍‌) ପାଇଁ ରାସ୍ତାକଡ଼ରେ ବସି ଆଖୁରସ ବିକ୍ରି କରୁଥିବା ସଂଗ୍ରାମ ଅନ୍ୟମାନଙ୍କ ପାଇଁ ପାଲଟିଯାଇଛନ୍ତି ପ୍ରେରଣା । ସ˚ଗ୍ରାମଙ୍କ ପାଠପଢା ନିଶା ଆଗରେ ହାର ମାନିଛି ସବୁ ପ୍ରତିବନ୍ଧକ । ସ˚ଗ୍ରାମଙ୍କ ବାପା ଜଣେ ସାଧାରଣ ଶ୍ରମିକ ହୋଇଥିବା ବେଳେ ତାଙ୍କର କେବଳ ଏକମାତ୍ର ଘରକୁ ଛାଡ଼ିଦେଲେ ଅନ୍ୟ କିଛି ସମ୍ପତ୍ତି ନାହିଁ । ମାଟ୍ରିକ ପାସ୍‌ ପରେ ଇଞ୍ଜିନିୟରିଂ ପଢିବାକୁ ସ˚ଗ୍ରାମଙ୍କର ପ୍ରବଳ ଇଚ୍ଛା ଥିଲା । କିନ୍ତୁ ଘରର ଆର୍ଥିକ ଅବସ୍ଥା ତାଙ୍କ ଇଞ୍ଜିନିୟରିଂ ସ୍ବପ୍ନର ବାଟ ଓଗାଳିଥିଲା । ଏଥିରେ ହାର ନମାନି ବାପାଙ୍କୁ ବୁଝାଇ ଗାଁ ଲୋକଙ୍କ ଜମିକୁ ଭାଗରେ ଆଣି ଆଖୁଚାଷ ଆରମ୍ଭ କରିଥିଲେ ସଂଗ୍ରାମ । ପ୍ରାୟ ୧୫ ଗୁଣ୍ଠ ଜମିରେ ଆଖୁଚାଷ କରି ଭଦ୍ରକ ଇ˚ଜିନିୟରି˚ ସ୍କୁଲ ଆଣ୍ତ ଟେକ୍ନୋଲୋଜିରେ ଡିପ୍ଲୋମା ପଢ଼ିଥିଲେ ସଂଗ୍ରାମ । ଭାଗ ଚାଷ ବାବଦ ଆଖୁକୁ ବିକ୍ରି କରିବା ବଦଳରେ ସ˚ଗ୍ରାମ ଆରମ୍ଭ କରିଥିଲେ ଆଖୁରସ ବେପାର । ଗାଁ ଲୋକଙ୍କଠାରୁ ଧାର ଉଧାର କରି ଏକ ଆଖୁରସ ପେଡ଼ା ମେସିନ କିଣିଲେ । ବେପାର ଆରମ୍ଭ କଲେ । ଏବେ ଭଦ୍ରକ-ଆଖଣ୍ତଳମଣି ମୁଖ୍ୟରାସ୍ତା ଅସୁରାଳି ବଜାର ନିକଟରେ ପ୍ରତିଦିନ ବାପାଙ୍କ ସହ ମିଶି ଆଖୁରସ ବିକ୍ରି କରୁଛନ୍ତି ସଂଗ୍ରାମ । ଏଥିରୁ ଯେଉଁ ଟଙ୍କା ରୋଜଗାର ହେଉଛି ସେଥିରେ ତାଙ୍କ ଘର ଚଳିବା ସହ ଉଚ୍ଚଶିକ୍ଷା ପାଇଁ ଆବଶ୍ୟକ ହେଉଥିବା ଖର୍ଚ୍ଚ ବି ଉଠିଯାଉଛି । ଏହାରି ଭିତରେ ସଂଗ୍ରାମ ଡିପ୍ଲୋମା ପାସ୍‌ କରି ଭଦ୍ରକ ବରପଦା ଇ˚ଜିନିୟରି˚ କଲେଜ (ବିଆଇଇଟି)ରେ ବି. ଟେକ୍‌ ପଢ଼ୁଛନ୍ତି । ଆଗକୁ ଏକ ଭଲ ସରକାରୀ ଚାକିରି କରିବାକୁ ଲକ୍ଷ୍ୟ ରଖିଛନ୍ତି ସଂଗ୍ରାମ ।

ସଂଗ୍ରାମଙ୍କ ସଂଘର୍ଷ କାହାଣୀ

ସତ୍ୟପାଠ ସହ ଆଲୋଚନା ବେଳେ ସଂଗ୍ରାମ କହିଛନ୍ତି ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳରୁ ହିଁ ତାଙ୍କ ମନରେ ଆଖୁଚାଷ କଥା ଆସିଥିଲା । ଏହା ପରେ କିଭଳି ସେ ଆଖୁରସ ବେପାର କରିବାକୁ ମେସିନ କିଣିଲେ  ଗରିବୀ କାହାଣୀ । କିଭଳି ସେ ହାର ନମାନି ଗରିବୀ ସହ ଲଢ଼ିଛନ୍ତି । ଏଥିପାଇଁ କେବେଠୁ ଚେଷ୍ଟା ଆରମ୍ଭ କରିଥିଲେ ଏବଂ ଆଗକୁ ତାଙ୍କର କି ଲକ୍ଷ୍ୟ ଅଛି ? ଏ ସମସ୍ତ କଥା ଜାଣିବାକୁ ଏହି ଭିଡିଓକୁ କ୍ଲିକ କରନ୍ତୁ ଏବଂ ସଂଗ୍ରାମ ମୁହଁରୁ ଶୁଣନ୍ତୁ ତାଙ୍କ ସଂଘର୍ଷର କାହାଣୀ ।

ସୂଚନା ଅନୁସାରେ ସଂଗ୍ରାମ ପ୍ରତିଦିନ ସକାଳୁ ଜମିରୁ ଆଖୁ କାଟିବା ପରେ ନିଜ କାନ୍ଧରେ ବୋହି ଦୋକାନ ପର୍ଯ୍ୟନ୍ତ ଆଣିଥାନ୍ତି । ଏହା ପରେ  ବାପାଙ୍କ ସହ ମିଶି ଅସୁରାଳି ବଜାରରେ ଲୋକଙ୍କୁ ଆଖୁରସ ବିକ୍ରି କରିଥାନ୍ତି । ଏଭଳି ବ୍ୟସ୍ତତା ମଧ୍ୟରେ ବି ନିଜ ମୁଖ୍ୟ ଲକ୍ଷ୍ୟ ‘ପାଠ ପଢାରୁ କେବେ ନିଜକୁ କେବେ ଅଲଗା କରିନାହାନ୍ତି ସଂଗ୍ରାମ । ଘରଠାରୁ ୨୫ କିମି ଦୂରରେ ଥିବା ଇଂଜିନିୟରିଂ କଲେଜକୁ ଠିକ ସମୟରେ ଯିବା ସହ ପଢିବା ପାଇଁ ଦରକାର ହେଉଥିବା ଅର୍ଥ ଏହି ଆଖୁରସ ସେଣ୍ଟରୁ ବାହାର କରିଥାନ୍ତି ସଂଗ୍ରାମ । ଉଚ୍ଚଶିକ୍ଷା ସାଙ୍ଗକୁ ଭବିଷ୍ୟତରେ ଭଲ ମଣିଷ ହୋଇ ଭଲ ଚାକିରି ଲକ୍ଷ୍ୟ ରଖିଛନ୍ତି ସଂଗ୍ରାମ । ସ˚ଗ୍ରାମଙ୍କର ଏହି ହାର ନମାନିବାର ମାନସିକତାକୁ ଚାରିଆଡ଼ୁ ମିଳୁଛି ପ୍ରଶଂସା । ସଂଗ୍ରାମଙ୍କ ଏଭଳି ପ୍ରୟାସ ଆଜିର ଯୁବପିଢି ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ ବୋଲି କୁହାଯାଉଛି ।

Related Posts