ରାଜା ସ୍ୱାଇଁ ଧରେଇଦେଲେ ମୁଖ୍ୟମନ୍ତ୍ରୀଙ୍କ ମିଛ

ଶପଥ ଗ୍ରହଣ ପରେ ଗତ ମଇ ମାସ ୨୭ ତାରିଖରେ ଅନୁଷ୍ଠିତ ଚଳିତ ସରକାରର ପ୍ରଥମ ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ପ୍ରତ୍ୟେକ ମନ୍ତ୍ରୀ ମାସର ୭ ତାରିଖ ସୁଦ୍ଧା ନିଜ ବିଭାଗର କାର୍ଯ୍ୟକାରିତା ସଂପର୍କରେ ରିପୋର୍ଟ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ । ନିଜେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଗୋଟି ଗୋଟି କରି ସମୀକ୍ଷା କରିବେ ଏବଂ ପ୍ରଦର୍ଶନ ଅନୁଯାୟୀ ମନ୍ତ୍ରୀମାନଙ୍କୁ ନମ୍ବର ମଧ୍ୟ ଦିଆଯିବ । ହେଲେ ଏସବୁ ଗଣମାଧ୍ୟମରେ ପ୍ରଚାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଡ୍ରାମାବାଜି ଥିଲା ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଅସଲରେ ମନ୍ତ୍ରୀଙ୍କ ରିପୋର୍ଟକୁ ନେଇ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କର ମିଛ ଧରାପଡିଯାଇଛି ବୋଲି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ପ୍ରକାଶ କରିଛନ୍ତି । ସୂଚନା ଅଧିକାରରେ ମିଳିଥିବା ତଥ୍ୟକୁ ଦେଖାଇ ମୁଖ୍ୟମନ୍ତ୍ରୀ ଓ ତାଙ୍କର 5-T ସଚିବ ପାଣ୍ଡିଆନ୍ ବାବୁ କିଭଳି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ତା’ର ଖୁଲାସା କରିଛନ୍ତି ସତ୍ୟପ୍ରକାଶ । ୨୭ ମଇ ଠାରୁ ଏଯାବତ୍ କେଉଁ କେଉଁ ବିଭାଗର ମନ୍ତ୍ରୀମାନେ କେତୋଟି ରିପୋର୍ଟ ଦେଇଛନ୍ତି ଓ ରିପୋର୍ଟରେ କ’ଣ ଉଲ୍ଲେଖ ଅଛି ତା’ର ସୂଚନା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ମଗାଯାଇଥିଲା । ଆଶ୍ଚର୍ଯ୍ୟର କଥା ରାଜ୍ୟବାସୀଙ୍କ ସୂଚନା ପାଇଁ ଏ ତଥ୍ୟ ଦେବେ କ’ଣ ଏଭଳି କୌଣସି ରିପୋର୍ଟ କୌଣସି ମନ୍ତ୍ରୀଙ୍କଠାରୁ ଆସି ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସିଧାସଳଖ ଫାଙ୍କି ଦେଲା । ଦୁର୍ଭାଗ୍ୟର କଥା ହେଲା ବାସ୍ତବରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦପ୍ତରର ଅଧିକାରୀମାନେ ସୂଚନା ଅଧିକାର ଆଇନ୍ ପ୍ରତି ତିଳେମାତ୍ର ସମ୍ମାନ ନାହିଁ । ଖାଲି ସେତିକି ନୁହେଁ 5-T ନାଁରେ ନବୀନ ବାବୁ ଓ ପାଣ୍ଡିଆନ୍ ବାବୁ ରାଜ୍ୟବାସୀଙ୍କୁ କେବଳ ଟୋପି ପିନ୍ଧାଉଛନ୍ତି ବୋଲି ଶ୍ରୀ ନାୟକ ସମାଲୋଚନା କରିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ମିଛ, ତଥ୍ୟ ପ୍ରମାଣ ସହ ଧରାପଡିଛି । ଏ ସଂପର୍କରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରାମାଣିକ ତଥ୍ୟ ଉପସ୍ଥାପନ କରାଯାଇଥିଲା । ଯେଉଁଥିରେ ନବୀନ ବାବୁଙ୍କ କ୍ୟାବିନେଟର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରତ୍ୟେକ ମାସ ନିଜ ବିଭାଗର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଦାଖଲ କରି ଆସୁଛନ୍ତି । ଆଶ୍ଚର୍ଯ୍ୟର କଥା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଯେଭଳି ଢଙ୍ଗରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ରିପୋର୍ଟ ପାଇଥିବା କଥାକୁ ଫାଙ୍କି ଦେଲେ । କେଉଁ ତଥ୍ୟକୁ ଚାପିବା ପାଇଁ ଏବଂ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡରେ ଥିବା ପ୍ରସଙ୍ଗ ସାମ୍ନାକୁ ଆସିଲେ କିଭଳି ଅଡୁଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଏଭଳି ଡାହା ମିଛ କହିଲେ ତାହା ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଯଦି ମନ୍ତ୍ରୀମାନଙ୍କର କୌଣସି ରିପୋର୍ଟ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସତ କହୁଛି, ତା’ହେଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମିଥ୍ୟା ତଥ୍ୟ ସୂଚନା ଅଧିକାରରେ ଦେଇଥିବା ଅଭିଯୋଗର ଜବାବ ତଲବ କରିବା ସହ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ସତ୍ୟ ନାୟକ ପ୍ରଶ୍ନ କରିଛନ୍ତି ।

Related Posts