୫୧ ପଳାତକ ଦେଶରୁ ଲୁଟିଛନ୍ତି ୧୮ ହଜାର କୋଟି ଟଙ୍କା

(ସତ୍ୟପାଠ ବ୍ୟୁରୋ) ଦେଶରୁ ପ୍ରାୟ 18 ହଜାର କୋଟି ଟଙ୍କା ଲୁଟି ବିଦେଶ ପଳାଇଛନ୍ତି 51 ପଳାତକ । ଗତକାଲି ରାଜ୍ୟସଭାରେ ପଳାତକଙ୍କ ତାଲିକା ଦେବା ସହ କେତେ ଟଙ୍କା ଦେଶରୁ ଲୁଟ କରିଛନ୍ତି ତାହାର ଲମ୍ବା ଚିଠା ଦେଇଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର । ଆର୍ଥିକ ଅପରାଧ କରି ଦେଶରୁ ଫେରାର ହୋଇଥିବା ୫୧ ଜଣ ମୋଟ୍ ୧୭,୯୦୦ କୋଟି ଟଙ୍କା ବ୍ୟାଙ୍କରୁ ଆଣି ପରିଶୋଧ କରି ନାହାନ୍ତି । ରାଜ୍ୟସଭାରେ ‘ପଳାତକ ଆର୍ଥିକ ଅପରାଧୀ’ ସଂପର୍କିତ ଏକ ପ୍ରଶ୍ନରେ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ । CBIର ତଥ୍ୟ ଅନୁଯାୟୀ ୬୬ ମାମଲାରେ ୫୧ ଜଣ ଘୋଷିତ ଅପରାଧୀ ଅନ୍ୟ ଦେଶକୁ ଫେରାର ହୋଇ ଯାଇଛନ୍ତି । ପଳାତକ ଆର୍ଥିକ ଅପରାଧୀଙ୍କ ଦ୍ଵାରା ମୋଟ୍ ୧୭,୯୪୭.୧୧ କୋଟି ଟଙ୍କାର ଅନିୟମିତତା ହୋଇଛି ।

ଘୋଷିତ ଅପରାଧୀ ଓ ଫେରାର ଲୋକଙ୍କୁ ଦେଶକୁ ଆଣିବା ନେଇ 51ଟି ପ୍ରତ୍ୟର୍ପଣ ମାମଲା ଉପରେ କାମ କରୁଛି ସିବିଆଇ । 6 ଜଣ ପଳାତକ ଆର୍ଥିକ ଅପରାଧୀ ବେଆଇନ ଭାବେ ଦେଶରୁ ପଳାୟନ କରିଥିବା ସୀମା ଶୁଳ୍କ ବିଭାଗ (ସିବିଆଇସି) ରିପୋର୍ଟରେ ଦର୍ଶାଇଛି । ପଳାତକ ଆର୍ଥିକ ଅପରାଧୀ ଅଧିନିୟମ ୨୦୧୮ ଆଧାରରେ ଅଦାଲତରେ ୧୦ ଅପରାଧୀଙ୍କ ବିରୋଧରେ ଆବେଦନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । 8 ଜଣ ବ୍ୟକ୍ତିଙ୍କ ପାଇଁ ଇଡି ଦ୍ଵାରା ପଠାଯାଇଥିବା ପ୍ରତ୍ୟର୍ପଣ ଅନୁରୋଧ ସମ୍ବନ୍ଧରେ ଇଣ୍ଟରପୋଲ୍ ଦ୍ଵାରା ରେଡ୍ କର୍ଣ୍ଣର ନୋଟିସ୍ ମଧ୍ୟ ଜାରି ହୋଇଥିବା ମନ୍ତ୍ରୀ ଅନୁରାଗ ସୂଚନା ଦେଇଛନ୍ତି ।

Related Posts