ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧର୍ମ ମାସ କାର୍ତ୍ତିକର ପଞ୍ଚୁକ ବ୍ରତ ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ବାବା ଧବଳେଶ୍ବରଙ୍କ ପୀଠରେ ଆରମ୍ଭ ହେବ ଭର୍ଚୁଆଲ୍ ଦର୍ଶନ ବ୍ୟବସ୍ଥା। ମାତ୍ର, ପୂଜକମାନଙ୍କ ବିରୋଧ ଯୋଗୁଁ ପୂର୍ବରୁ ସ୍ଥିର ହୋଇଥିବା ଝୁଲା ପୋଲ ନିକଟରେ ଏଲ୍ଇଡି ଲାଗିବା ବ୍ୟବସ୍ଥା କରା ନଯାଇ ମୁଖ୍ୟ ପ୍ରବେଶ ପଥ ଓ ପାଇକରାପୁର ଛକରେ ଏଲ୍ଇଡି ଲାଗିବ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଏହି ପରଦା ମାଧ୍ୟମରେ ଶ୍ରଦ୍ଧାଳୁମାନେ ବାବା ଧବଳେଶ୍ବରଙ୍କ ବଡ଼ ସିଂହାର ବେଶ ଆଜିଠାରୁ ଦର୍ଶନ କରିପାରିବେ। ଭକ୍ତମାନେ କେବଳ ସ୍କ୍ରିନ ମାଧ୍ୟମରେ ଠାକୁରଙ୍କର ଦର୍ଶନ କରିପାରିବେ। ଏହି ସମୟରେ ପୂର୍ଜାର୍ଚ୍ଚନା ଏବଂ ଭୋଗ କରିବାରୁ ବଞ୍ଚିତ ରହିବେ। ଏହାସହିତ ଝୁଲାପୋଲ ପାର୍ଶ୍ବବର୍ତ୍ତୀ ସ୍ଥାନରେ ଗଜ ଭୋଗ ଅଥବା ଶୁଖିଲା ଭୋଗ ମିଳିବନାହିଁ କି ସେଠାରେ କୌଣସି ଦୋକାନ ମଧ୍ୟ ଖୋଲାଯାଇ ପାରିବ ନାହିଁ। ଶ୍ରଦ୍ଧାଳୁମାନେ କେବଳ ପୂଜକମାନଙ୍କ ମାଧ୍ୟମରେ ଗଜ ଭୋଗ ଅଥବା ଶୁଖିଲା ଭୋଗ ପାଇପାରିବେ। ଯେଉଁସବୁ ଦୋକାନ ଖୋଲିବ, ତାହା ମୁଖ୍ୟ ରାସ୍ତା କଡରେ ଖୋଲାଯିବ। ଧବଳେଶ୍ବର ପୀଠରେ ନିଆଯାଇଥିବା ଏଭଳି ପଦକ୍ଷେପ ସଂପର୍କରେ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ ସୂଚନା ଦେବା ସହିତ ନବଦୋଳ ଯାତ୍ରା ପଡ଼ିଆରେ ଆସନ୍ତା ୫ରୁ ୭ତାରିଖ ତିନିଦିନ ଧରି ସଂସ୍କୃତି ବିଭାଗ ପକ୍ଷରୁ ଭଜନ ସମାରୋହ ହେବ ବୋଲି ସୂଚନା ଦେଇଛନ୍ତି।
ଅନ୍ୟପଟେ, ଧବଳେଶ୍ବର ପୀଠରେ ହଠାତ୍ ଏଭଳି ଢଙ୍ଗରେ ୧୪୪ ଧାରା ଜାରି ଘଟଣାକୁ ନେଇ ଏବେ ବି ପୂଜକ ସମୁଦାୟ ମଧ୍ୟରେ ଅସନ୍ତୋଷ ଜାରି ରହିଛି। ଏଭଳି ନିଷ୍ପତ୍ତିରେ ପୂଜକମାନେ ଯେଉଁ ଆର୍ଥିକ କ୍ଷତି ସହିବେ, ତାର ଭରଣା ପାଇଁ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ପ୍ରଶାସନ ପକ୍ଷରୁ ଦେବୋତ୍ତର କମିସନଙ୍କ ସହିତ ଆଲୋଚନା କରାଯାଇ ଏନେଇ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଗୁରୁବାର ଉପଜିଲ୍ଲାପାଳ ପୂଜକ ସମିତି ସହ ଆଲୋଚନା କରିବା ସମୟରେ ପ୍ରତିଶ୍ରୁତି ଦେଇଛନ୍ତି। ମାତ୍ର, ଭୋଗ ଓ ଅନ୍ୟ ଦୋକାନ ନିଲାମ ନେଇଥିବା ବ୍ୟକ୍ତି ସେମାନଙ୍କ ଆର୍ଥିକ କ୍ଷତି କିଭଳି ଭରଣା କରିବେ, ତାହାକୁ ନେଇ ଏବେବି ବାଦବିବାଦ ଲାଗି ରହିଛି।





