ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଜାରି ରହିଥିବା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିଜ ପିଠିକୁ ନିଜେ ଚାବୁକରେ ମାରୁଥିବାର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓଟି ତେଲେଙ୍ଗାନାର ବୋଲି ଜଣା ପଡିଛି।

ସୂଚନା ଅନୁସାରେ, ଭାରତ ଯୋଡ଼ ଯାତ୍ରାର ୫୭ତମ ଦିନରେ ରାହୁଲ ଗାନ୍ଧି ଗୁରୁବାର ତେଲେଙ୍ଗାନାର ପାରମ୍ପରିକ ଭୋନାଲୁ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ସମୟରେ ସେ ନିଜ ପିଠିକୁ ପରମ୍ପରା ଅନୁସାରେ ଚାବୁକରେ ପିଟି ଥିଲେ। ଏହାକୁ କଂଗ୍ରେସ ଦଳ ପକ୍ଷରୁ ତା’ର ଟ୍ୱିଟରରେ ମଧ୍ୟ ପୋଷ୍ଟ କରାଯାଇଛି। ଏହି ପୋଷ୍ଟରରେ ଦଳ ଲେଖିଛି ଯେ, ଶ୍ରୀ ଗାନ୍ଧି ଚାବୁକ ପ୍ରହାର କରିଛନ୍ତି। ପୋଥୁରାଜୁ ପରମ୍ପରା ଅନୁସାରେ ସେ ଏପରି କରିଛନ୍ତି।

ତେବେ ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ଗୋଟିଏ କଳା ରଙ୍ଗର ମୋଟା ଚାବୁକରେ ନିଜ ପିଠିକୁ ପିଟୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ରାହୁଲ ଗାନ୍ଧି ସେଠାରେ ପହଞ୍ଚିବା ପରେ ତାଙ୍କ ଠାରୁ ଉକ୍ତ ଚାବୁକ ଆଣୁଛନ୍ତି। ଏହାପରେ ସେ ମଧ୍ୟ ନିଜକୁ ନିଜେ ଏକାଧିକ ଥର ଚାବୁକରେ ପ୍ରହାର କରୁଛନ୍ତି। ଏହି ସମୟରେ ରାହୁଲଙ୍କୁ ଉତ୍ସାହିତ କରିବା ପାଇଁ ଅନେକ ଲୋକ ତାଳି ମାରି ନାରା ମଧ୍ୟ ଦେଇଥିଲେ।

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭୋନାଲୁ ପର୍ବରେ ପୋଥାରାଜୁ ଜଣେ ବ୍ୟକ୍ତି ଯିଏ ନିଜ ଶରୀରକୁ ଚାବୁକ ଆଘାତ ଦେଇଥାଏ । ପୋଥାରାଜୁ ହେଉଛନ୍ତି ବୋନାଲୁ ପର୍ବର ଦେବୀ ମହାକାଳୀଙ୍କ ଭାଇ, ଯିଏ ଦେବୀଙ୍କୁ ସୁରକ୍ଷା ଦେବା ପାଇଁ ଚାବୁକ ମାରନ୍ତି । ପରମ୍ପରା ଅନୁଯାୟୀ, ପୋଥାରାଜୁ ଦେବୀ ମହାକାଳୀଙ୍କର ସାତୋଟି ଭଉଣୀଙ୍କ ଭାଇ ବୋଲି ବିଶ୍ୱାସ କରାଯାଏ । ରାହୁଲ ତାଙ୍କର ଯାତ୍ରା ସମୟରେ ସେ ଏହି ପୋଥାରାଜୁ ଅବତାରରେ ମଧ୍ୟ ଅଭିନୟ କରିଥିଲେ । ବୋନାଲୁ ପର୍ବ ସମୟରେ ମହିଳାମାନେ ‘ପୋଥାରାଜୁ’ଙ୍କ ନେତୃତ୍ୱରେ ମନ୍ଦିରକୁ ଏକ ଶୋଭାଯାତ୍ରା କରନ୍ତି । ଏହି ସମୟରେ, ସେ ଢୋଲର ତାଳେ ତାଳେ ବହୁତ ନାଚନ୍ତି ଏବଂ ଦଉଡିରେ ମଧ୍ୟ ଚାବୁକ ମାରନ୍ତି ।

ଅନ୍ୟପଟେ ଗୁରୁବାର ଦିନ କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ ଯାତ୍ରା ସକାଳୁ ତେଲେଙ୍ଗାନାର ପାତନଚେରୁରୁ ଆରମ୍ଭ ହୋଇଥିଲା। ସନ୍ଧ୍ୟାରେ ସଙ୍ଗରରେଡ୍ଡୀ ଜିଲ୍ଲାର ସିବମପେଟରେ ଶେଷ ହୋଇଛି। ଗୁରୁବାର ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରାରେ ଭାରତୀୟ ନୌସେନାର ପୂର୍ବତନ ମୁଖ୍ୟ ଆଡମିରାଲ ରାମଦାସ ସାମିଲ ହୋଇଥିଲେ। ୮୯ ବର୍ଷୀୟ ରାମଦାସ ପଯାତ୍ରାରେ ସାମିଲ ହୋଇ କିଛି ବାଟ ରାହୁଲଙ୍କ ସହ ଚାଲିଥିଲେ। ତାଙ୍କ ବ୍ୟତୀତ ତେଲେଙ୍ଗାନା କଂଗ୍ରେସ ସଭାପତି ତଥା ସାଂସଦ ଏ ରେବନ୍ତା ରେଡ୍ଡୀ, ଲୋକସଭା ସଦସ୍ୟ ଏନ ଉତ୍ତମ କୁମାର ରେଡ୍ଡୀ ଓ ଶତାଧିକ କଂଗ୍ରେସ କର୍ମୀ ରାହୁଲଙ୍କ ସହ ପଦଯାତ୍ରା କରିଛନ୍ତି।