ନୂଆଖାଇ ସଂପର୍କରେ ବିବାଦୀୟ ମନ୍ତବ୍ୟ କୁ ଚାରିଆଡ଼େ ସମାଲୋଚନା ପରେ କଥା ଫେରେଇଲେ ବାବା ବଳିଆ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମଓଡିଶାର ଗଣପର୍ବ ନୂଆଖାଇ ସମ୍ପର୍କରେ ବାବା ବଳିଆଙ୍କ ଅରୁଚିକର ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ଏକ ଘରୋଇ ଟିଭି ଚ୍ୟାନେଲକୁ ବାବା ବଳିଆ କହିଛନ୍ତି, ‘ନୂଆଖାଇ ପର୍ବ କଥା ପଡ଼ିଲେ ମୋତେ ହସ ଲାଗେ। ଥରେ ମୁଁ ନୂଆଖାଇ ପରଦିନ ବରଗଡ଼ ଯାଇଥିଲି, ସେଠି ଯାହା ଦେଖିଲି ଏହା କିଭଳି ନୂଆଖିଆ ବୋଲି ପ୍ରଶ୍ନ ଆସିଲା। ପଶ୍ଚିମ ଓଡ଼ିଶାର ଆଉ ଏକ ପର୍ବ ରହିଛି ଯେଉଁଠି କେବଳ ପଶୁ, ପକ୍ଷୀ କାଟି ରାସ୍ତାରେ ପକାନ୍ତି। ଏହି ସବୁ ଅନ୍ଧବିଶ୍ବାସରୁ ଦୂରେଇ ଯାଇ ରସଗୋଲା, ନଡ଼ିଆ, ଫଳ, ପିଠା ଭୋଗ କର। ପଶ୍ଚିମ ଓଡ଼ିଶା ଆଉ ପୁରୁଣା ଓଡ଼ିଶା ନାହିଁ, ଏହା ବର୍ତ୍ତମାନ ଶିକ୍ଷା, ସଂସ୍କୃତିର ଜିଲ୍ଲା ହୋଇଛି। ନୂଆ ଖାଇବ ବୋଲି କ’ଣ ମଦ ପିଇବ ଓ ମାଂସ ଖାଇବ? ନୂଆଁଖିଆ ପୂର୍ବ ଓଡ଼ିଶାରେ ମଧ୍ୟ ଅଛି। ଚୁଡ଼ାଘସା, ଅନ୍ନ-ଡାଲମା ଭୋଗ ଦିଆଯାଏ ଏବଂ ତାହାକୁ ଲୋକେ ଖାଆନ୍ତି। ଏଠି ଯେଉଁଭଳି ପଶୁବଳି ଚାଲିଛି, ତାହା ନିନ୍ଦନୀୟ।’ ବାବାଙ୍କର ଏହି ମନ୍ତବ୍ୟ ସାମ୍ନାକୁ ଆସିବା ପରେ ଏହାକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ବିଶେଷ କରି ପଶ୍ଚିମଓଡିଶାର କିଛି ସଙ୍ଗଠନ ଏହାକୁ ନେଇ ଜୋରଦାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏପରିକି ସାମାଜିକ ଗଣମାଧ୍ୟମରେ ବହୁ ଲୋକ ଏହାକୁ ନେଇ ସମାଲୋଚନା କରିବା ସହ କଡା ଟିପ୍ପଣୀ ମଧ୍ୟ ପ୍ରଦାନ କରିଛନ୍ତି।

ତେବେ ଜୋରଦାର ବିରୋଧ ପରେ ବାବା‌ ବଳିଆ ନିଜ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ଗଣମାଧ୍ୟମରେ କହିଛନ୍ତି ‌ଯେ ଯଦି କେହି ଭାବୁଥିବେ ଏ କଥା ମୁଁ କଟକିଆ ଭାବେ କହିଛି, ତାହା ଆଦୌ ନୁହେଁ। ସମସ୍ତଙ୍କୁ କହୁଛି ଜୀବ ପ୍ରତି ଦୟା ରଖ। ଯଦି ମୋ କଥା ପଶ୍ଚିମ ଓଡ଼ିଶାର ଲୋକଙ୍କ ମନରେ ଦୁଃଖ ଦେଇଛି, ତାହେଲେ ବଳିଆ ବିନମ୍ରତାର ସହ କହୁଛି ଆପଣ ଦୁଃଖ ଭୁଲି ଯାଆନ୍ତୁ। ବଳିଆ କଥା ଫେରାଇ ନେଉଛି। ଆପଣମାନେ ଯେମିତି ନୂଆଖାଇ ପାଳିବା କଥା ପାଳନ୍ତୁ, କିନ୍ତୁ ଜୀବ ପ୍ରତି ଦୟା ରଖନ୍ତୁ। ଅନ୍ତତଃ ପର୍ବପର୍ବାଣି ସମୟରେ ମାଦକ ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ। ସାମ୍ବାଦିକ ବନ୍ଧୁମାନଙ୍କୁ ମୁଁ କ୍ଷମା ମାଗୁଛି, ଏ କଥା ଭୁଲି ଯାଆନ୍ତୁ।

Related Posts