ନୂଆଁଖାଇ ପାଳିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଚାଷୀ ପରିବାର ଘରେ ଖାଇଲେ ନବାନ୍ନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନୂଆଁଖାଇ ପାଳିଲେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ କେବଳ ଯେ ପଶ୍ଚିମ ଓଡ଼ିଶାରେ ସୀମିତ ତାହା ନୁହେଁ ବରଂ ପଡ଼ୋଶୀ ଛତିଶଗଡ଼ ପର୍ଯ୍ୟନ୍ତ ଏହି ପର୍ବ ପରିବ୍ୟାପ୍ତ ବୋଲି ଏହା ପ୍ରମାଣିତ କରିଛି। ଓଡ଼ିଶା-ଛତିଶଗଡ ସୀମାନ୍ତ ରାୟଗଡ଼ ଜିଲ୍ଲାର ଲୋଇଙ୍ଗ ଠାରେ ଗୁରୁବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ବଘେଲ ପହଞ୍ଚି ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଗାଁର ସାଧାରଣ ଚାଷୀ ବାହାଦୁର ସିଦାରଙ୍କ ପରିବାର ସହ ନବାନ୍ନ ଭକ୍ଷଣ କରିଥିଲେ ।ମୁଖ୍ୟମନ୍ତ୍ରୀ ଶ୍ରୀ ବଘେଲ ଚାଷୀ ପରିବାରର ମୁଖ୍ୟ ବାହାଦୁର ସିଦାରଙ୍କ ଘରେ ତଳେ ବସି ଖଲିପତ୍ର ଏବଂ ଦନାରେ ନବାନ୍ନ ଭକ୍ଷଣ କରିଥିଲେ । ଏହା ଏକ ସୁଖଦ ଅନୁଭବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିବା କହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀଫଳ ନଡ଼ିଆ ଭେଟି ଦେଇ ପରିବାର ଲୋକେ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଡାଲି, ଭାତ ସହ ଷଢରସରେ ପ୍ରସ୍ତୁତ ୬ ବିଭିନ୍ନ ପ୍ରକାର ପରିବା ପରସା ଯାଇଥିଲା । ଯେଉଁଥିରେ କୁଲ୍‌ତା ସମାଜ ପକ୍ଷରୁ ବିଶେଷ ଭାବେ ପ୍ରସ୍ତୁତ ହେଉଥିବା ବ୍ୟଞ୍ଜନ ଲେଥା (ଖଟା), ବରିଟମାଟର୍‌, ଭେଣ୍ଡି, ମିଶ୍ରିତ ପରିବା, ମାଖନ ଶାଗ ଆଦି ଅନ୍ତର୍ଭୁକ୍ତ ଥିଲା । ଏହି ଅବସରରେ ରାଜ୍ୟର ଉଚ୍ଚ ଶିକ୍ଷାମନ୍ତ୍ରୀ ଉମେଶ ପଟେଲ, ବିଧାୟକ ପ୍ରକାଶ ନାୟକ ପ୍ରମୁଖ ସାମିଲ ହୋଇଥିଲେ ।

ପ୍ରକାଶଯୋଗ୍ୟ ଯେ, ପୂର୍ବ ବର୍ଷ ମାନଙ୍କରେ ମଧ୍ୟ ଛତିଶଗଡ଼ ରାଜ୍ୟରେ ନୂଆଁଖାଇ ପର୍ବ ପାଳନ ହୋଇ ଆସୁଛି। ମାତ୍ର ଚଳିତଥର ସରକାରୀ ଛୁଟି ଘୋଷଣା ସହ ଏହାକୁ ଗଣପର୍ବ ଭାବେ ପାଳନ କରିବା ଦିଗରେ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି ।

Related Posts