ଅସୁରକ୍ଷିତ ରାଜଧାନୀ; ଗୋଟିଏ ରାତିରେ ୩ ହତ୍ୟାକାଣ୍ଡ, କମିସନରେଟ୍‌ ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସଦ୍ୟ ପ୍ରକାଶିତ ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ ମହିଳା ହିଂସାରେ ଓଡ଼ିଶା ଏକ ନମ୍ବର ଭାବେ ଅଲୋଡ଼ା ରେକର୍ଡ କରିଛି। ରିପୋର୍ଟ ଅନୁସାରେ ଚାର୍ଜସିଟ୍‌ ଦାଖଲ କରିବାରେ କମିସନରେଟ୍‌ ପୁଲିସ ମନ୍ଥର। ଆଉ ପୁଣି ପ୍ରତିଦିନ ହତ୍ୟାକାଣ୍ଡରେ ରାଜ୍ୟରେ ଗଡ଼ୁଛି ୪ ମୁଣ୍ଡ। ଏହି ରିପୋର୍ଟକୁ ନେଇ ଚାରିଆଡ଼େ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ‌ଖୋଦ୍ ରାଜ୍ୟର ରାଜଧାନୀରେ ଗୋଟିଏ ରାତିରେ ଗଡ଼ିଛି ତିନି ତିନିଟି ମୁଣ୍ଡ। ଏହାପରେ ରାଜଧାନୀ ଭୁବନେଶ୍ୱର କେତେ ସୁରକ୍ଷିତ ତାହା ଜଳ ଜଳ ହୋଇ ଦେଖା ଯାଉଛି। ଏହାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ତେବେ ଏପରି ଖୋଲା ଖୋଲି ଅପରାଧ ଘଟିବା ଫଳରେ କମିସନରେଟ୍‌ ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଚିହ୍ନ ଲାଗିଛି।

ଖାରବେଳନଗର ଥାନା ଶାସ୍ତ୍ରୀନଗର ଭଳି ରାଜଧାନୀର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଘରେ ପଶି ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ବୁଧବାର ସନ୍ଧ୍ୟାରେ ଶାସ୍ତ୍ରୀନଗରରେ ହତ୍ୟାକାଣ୍ଡର ଶିକାର ହୋଇଥିବା ମହିଳା ଜଣକ ହେଲେ ଅନନ୍ତ ନାରାୟଣ ନାଥଙ୍କ ପତ୍ନୀ ଶୁଭଶ୍ରୀ ମହାପାତ୍ର(୩୪)। ସନ୍ଧ୍ୟା ସାଢ଼େ ୬ଟା ବେଳେ ସେ ପୁଅକୁ ଟ୍ୟୁସନ୍‌ରେ ଛାଡ଼ି ଆସି ଏକାକୀ ଘରେ ଥିଲେ। ରାତି ପ୍ରାୟ ସାଢ଼େ ୭ଟାରେ ଟ୍ୟୁସନ୍ ଶିକ୍ଷୟିତ୍ରୀ ପୁଅକୁ ଘରେ ଛାଡ଼ିବାକୁ ଆସିବା ବେଳେ ଶୁଭଶ୍ରୀଙ୍କ ମୃତଦେହ ଖଟ ଉପରେ ପଡ଼ିଥିବା ଦେଖିଥିଲେ। ତାଙ୍କୁ ଦୁର୍ବୃତ୍ତ ହତ୍ୟା କରି ଚମ୍ପଟ ମାରିଥିଲା। ବେକକୁ ରଶିରେ ଚାପି ତାଙ୍କୁ ହତ୍ୟା କରାଯାଇଥିବା ଜଣା ପଡିଛି । ପୁଲିସ ଉକ୍ତ ଘରୁ ଏକ ରଶି ଜବତ କରିଛି। ତେବେ ଘର ଭିତରେ ଲୁଟ୍‌ପାଟ୍‌ର କୌଣସି ସଂକେତ ନାହିଁ। ଘରେ ଏକାକୀ ଥିବା ବେଳେ କେହି ଜଣାଶୁଣା ଲୋକ ହିଁ ଭିତରକୁ ପଶି ଏଭଳି କାଣ୍ଡ ଘଟାଇଛି। ପୁଲିସ ସ୍ବାମୀ ଅନନ୍ତଙ୍କ ସମେତ ଶୁଭଶ୍ରୀଙ୍କ ବାପା, ମା’ଙ୍କୁ ପଚରାଉଚରା କରିଛି। ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ୪ଟି ମୋବାଇଲ୍‌ ଫୋନ୍‌ ଜବତ କରି ତଦନ୍ତ ଜାରି ରଖିଛି।

ତେବେ ଛାତିଥରା ଆଉ ଏକ ହତ୍ୟାକାଣ୍ଡ ଘଟିଛି ବୁଧବାର ବିଳମ୍ବିତ ରାତିରେ। ତାହା ପୁଣି ଖୋଦ୍‌ ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫୦ ମିଟର ଦୂରରେ। ଜଣେ ପାନ ଦୋକାନୀଙ୍କୁ ଦୋକାନ ଭିତରୁ ଉଠାଇ ଦୁର୍ବୃତ୍ତମାନେ କଟୁରିରେ ହାଣି ପକାଇଛନ୍ତି। ଯୁବକ ଜଣଙ୍କ ବଞ୍ଚିବା ପାଇଁ ଡିସିପିଙ୍କ କାର୍ଯ୍ୟାଳୟକୁ ଧାଇଁ ପଳାଉଥିଲେ ମଧ୍ୟ ଦୁର୍ବୃତ୍ତମାନେ ତାଙ୍କୁ ପଛରୁ ଚୋଟ ପରେ ଚୋଟ ପକାଇ ହତ୍ୟା କରିଛନ୍ତି। ଯୁବକ ଜଣକ ହେଉଛନ୍ତି ସହିଦନଗର ଥାନା ପଥରବନ୍ଧ ବସ୍ତିର ସୌମ୍ୟରଞ୍ଜନ କୁଣ୍ଡୁ(୨୯)। ବା‌ଣୀବିହାର ଛକ ମେଟ୍ରୋଟାୱାର କଡ଼ରେ ପାନ ଦୋକାନ କରିଥିବା ସୌମ୍ୟଙ୍କୁ ସେହି ବସ୍ତିର ୬ ଜଣ ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଅବଶ୍ୟ ପୁଲିସ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ମାମଲାରରେ କାବୁ ଓ ପପୁନି ନାମକ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସୌମ୍ୟଙ୍କ ପାନ ଦୋକାନ କଡ଼ରେ ଥିବା ଏକ ଫାଙ୍କା ଜାଗାକୁ କବ୍‌ଜା କରି ରଖିଥିବା ସୌମ୍ୟକୁ ସେଠାରୁ ହଟାଇବାକୁ ଯାଇ କାବୁ ଓ ପପୁନି ତାଙ୍କୁ ହତ୍ୟା କରିଛନ୍ତି ବୋଲି କୁହାଯାଉଛି। ସେହିଭଳି ଗତକାଲି ରାତିରେ ସହିଦନଗର ଥାନା କେଶୁରା ଅଞ୍ଚଳରେ ଜଣେ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। କେହି ତାଙ୍କୁ ହତ୍ୟା କରିବା ପରେ ବେକରେ ଗାମୁଛା ବାନ୍ଧି ଏକ ଗଛମୂଳେ ପକାଇ ଆତ୍ମହତ୍ୟାର ରୂପ ଦେବାକୁ ଅପଚେଷ୍ଟା କରିଥିବା କୁହାଯାଉଛି।

Related Posts