ବିଶ୍ୱକପରେ ବିପର୍ଯ୍ୟୟ ପରେ ଅଧିନାୟକ ପଦ ଛାଡିଲେ ବାବର ଆଜମ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ବାବର ଆଜମ ପାକିସ୍ତାନ କ୍ରିକେଟ୍‌ ଦଳର ଅଧିନାୟକ ପଦ ଛାଡ଼ିଛନ୍ତି। ଚଳିତ ବିଶ୍ବକପ୍‌ ସେମିଫାଇନାଲ୍‌ ପୂର୍ବରୁ ପାକିସ୍ତାନ ବିଦାୟ ନେବା ପରେ ବୁଧବାର ବାବର ଏହି ନିଷ୍ପତ୍ତି ନେଇଛନ୍ତି। ବାବର ପଦ ଛାଡ଼ିବା ପରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଟେଷ୍ଟ୍‌ ଲାଗି ସାନ ମାସୁଦ ଏବଂ ଟ୍ବେଣ୍ଟି-୨୦ ପାଇଁ ସାହିନ ଶାହ ଆଫ୍ରିଦଙ୍କୁ ଅଧିନାୟକ ପଦରେ ନିଯୁକ୍ତ କରିଛି। କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଦଳର ନେତୃତ୍ବ ଭାର ଛାଡ଼ିଲେ ବୋଲି ବାବର ନିଜ ଏକ୍ସ ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି।

ଏଥିରେ ସେ ଲେଖିଛନ୍ତି, ‘‘ଆଜି ମୁଁ ପାକିସ୍ତାନର ଅଧିନାୟକ ଭାବେ ସମସ୍ତ ଫର୍ମାଟରୁ ଓହରି ଯାଉଛି। ଏହା କଠୋର ନିଷ୍ପତ୍ତି ଥିଲା, କିନ୍ତୁ ମୁଁ ଅନୁଭବ କଲି ଇସ୍ତଫା ଦେବାର ଏହା ପ୍ରକୃଷ୍ଟ ସମୟ। ତେବେ କେବଳ ଜଣେ ଖେଳାଳି ଭାବେ ପାକିସ୍ତାନ ପକ୍ଷରୁ ୩ଟି ଯାକ ଫର୍ମାଟ୍‌ରେ ଖେଳିବା ଜାରି ରଖିବି। ନୂଆ ଅଧିନାୟକ ଓ ଦଳ ସହ ମୋର ଅଭିଜ୍ଞତାକୁ ବାଣ୍ଟିବି। ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଏଭଳି ଗୁରୁ ଦାୟିତ୍ବ ଦେଇଥିବାରୁ କୃତଜ୍ଞ। ୨୦୧୯ରେ ଯେତେବେଳେ ଦଳର ନେତୃତ୍ବ ଭାର ନେବା ଲାଗି ପିସିବିରୁ କଲ୍‌ ଆସିବା ଏବେ ବି ମୋର ମନେ ଅଛି। ଗତ ୪ ବର୍ଷ ମଧ୍ୟରେ ପଡ଼ିଆ ଭିତରେ ଓ ବାହାରେ ଅନେକ ଉଚ୍ଚ ଓ ନୀଚ ଦେଖିଛି; କିନ୍ତୁ କ୍ରିକେଟ୍‌ ଦୁନିଆରେ ‌ମୁଁ ପାକିସ୍ତାନର ସମ୍ମାନ ରଖିବାକୁ ସର୍ବଦା ଚେଷ୍ଟା କରିଛି। ଧଳା ବଲ୍‌ରେ ପାକିସ୍ତାନ ୧ ନମ୍ବର ସ୍ଥାନ ହାସଲ ସଫଳତାରେ ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ଅଧିକାରୀଙ୍କ ପରିଶ୍ରମ ରହିଛି। ମୋର ଏହି ଯାତ୍ରାରେ ସମର୍ଥନ ଦେଇଥିବାରୁ ପାକିସ୍ତାନ କ୍ରିକେଟ୍‌ ପ୍ରଶଂସକଙ୍କୁ ଧନ୍ୟବାଦ’’।

ତେବେ ଚଳିତ ବିଶ୍ବକପ୍‌ରେ ବାବର କେବଳ ଆଫ୍‌ଗାନିସ୍ତାନ ବିପକ୍ଷରେ ‌ଭଲ ଖେଳିଥିଲେ। ହେ‌ଲେ ଏହି ମ୍ୟାଚ୍‌ ପାକିସ୍ତାନ ହାରିଥିଲା। ବିଶ୍ବର ଏହି ଏକ ନମ୍ବର ବ୍ୟାଟର୍‌ ୪୦ ହାରାହାରି ଓ ୮୨.୯୦ ଷ୍ଟ୍ରାଇକ୍‌ରେଟ୍‌ରେ ମାତ୍ର ୩୨୦ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ନେତୃତ୍ବରେ ଦଳ ୯ ଲିଗ୍‌ ମ୍ୟାଚ୍‌ରେ କେବଳ ୪ଟି ରେ ବିଜୟ ପାଇଥିଲା। ଏହି ପ୍ରଦର୍ଶନ ଲାଗି ସେ ସମାଲୋଚନାର ଶିକାର ହୋଇଥିଲେ। ୨୦୧୯ରେ ସର୍ଫରାଜ ଅହମଦଙ୍କ ସ୍ଥାନରେ ବାବର ପାକିସ୍ତାନର ଦିନିକିଆ ଓ ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ନେତୃତ୍ବ ଭାର ସମ୍ଭାଳିଥିଲେ। ୨୦୨୧ରେ ଟେଷ୍ଟ ଅଧିନାୟକ ‌ନିଯୁକ୍ତ ହୋଇଥିଲେ। ତାଙ୍କ ନେତୃତ୍ବରେ ପାକିସ୍ତାନ ଏସିଆ କପ୍‌ ଏବଂ ୨୦୨୨ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ପହଞ୍ଚିଥିଲା।

Related Posts