ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ବିଧାନସଭାରେ ଆଜି ବାଚସ୍ପତି ନିର୍ବାଚନ । ସେପଟେ କଡା ସୁରକ୍ଷା ମଧ୍ୟରେ ମହାରାଷ୍ଟ୍ର ବିଧାନସଭା ଭିତରେ ପ୍ରବେଶ କରିଛନ୍ତି ବିଦ୍ରୋହୀ ବିଧାୟକ । ତେବେ ଆଜି ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । ବିଜେପି ବିଧାୟକ ରାହୁଲ ନିର୍ବେକର ବାଚସ୍ପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ଏମଭିଏ ପ୍ରାର୍ଥୀ ଭାବେ ଶିବସେନାର ରାଜନ ସାଲଭି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଗତବର୍ଷ ଫେବ୍ରୁଆରୀରେ କଂଗ୍ରେସର ନାନା ପାଟୋଲ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ସେବେଠାରୁ ବାଚସ୍ପତି ପଦ ଖାଲି ପଡିଛି । ବିଦୋହୀ ନେତା ଏକନାଥ ସିନ୍ଦେଙ୍କ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ପରେ ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି । କହିରଖୁଁ ଆସନ୍ତା କାଲି ସିନ୍ଦେ ସରକାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଧରିବାରେ ଲାଗିଛି ।