ବଢ଼ିଲା ଅଡ଼ୁଆ: ଇମ୍ରାନ ଖାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ

ନୁଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଆଡୁଆ ଆହୁରି ବଢି ଯାଇଛି । ଗୋଟିଏ ପରେ ଗୋଟିଏ ଝଟକା ତାଙ୍କୁ ଲାଗିବାର ଲାଗିଛି । ତେବେ ଏହାରି ମଧ୍ୟରେ ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି ।

ଇମ୍ରାନ ଖାନଙ୍କ ବିରୋଧରେ ଏହି ମାମଲା ଶାସକଦଳ ସହ ମେଣ୍ଟରେ ଥିବା ପାକିସ୍ତାନୀ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ଦଳର ନେତା ମୋହସିନ୍ ଶାହନାୱାଜ ରାଂଝାଙ୍କ ଦ୍ବାରା ଦାଖଲ ହୋଇଛି ।

ଏହି ମାମଲା ଇସଲାମାବାଦର ସଚିବାଳୟ ପୋଲିସ ଷ୍ଟେସନରେ ରୁଜୁ ହୋଇଛି । ଏହାପୂର୍ବରୁ ଶୁକ୍ରବାର ଦିନ ଇମ୍ରାନ ଖାନଙ୍କୁ ନିର୍ବାଚନ ଆୟୋଗ ୫ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଥିଲେ।

ନ୍ୟାସନାଲ ଆସେମ୍ବଲିର ସଦସ୍ୟ ମୋହସିନ୍ ସାହାନବାଜ୍ ରାଂଝା ଏହି ନିଷ୍ପତ୍ତି ଶୁକ୍ରବାର ତାଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ନେଇଛନ୍ତି । ପ୍ରକୃତରେ, ଇସଲାମାବାଦରେ ଇମ୍ରାନ ଖାନ ଏବଂ ତାଙ୍କ ପାର୍ଟି ପିଟିଆଇର ସମର୍ଥକମାନେ ତୋସାଖାନା ମାମଲାରେ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବିରୋଧ କରିଥିଲେ । ଏହି ସମୟରେ ଯେତେବେଳେ ରାଂଝା ନିର୍ବାଚନ ଆୟୋଗ କାର୍ଯ୍ୟାଳୟରୁ ବାହାରକୁ ଆସିଲେ, ତାଙ୍କ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିଲେ। ଏବଂ ହିଂସା ସମୟରେ ତାଙ୍କ କାରକୁ ଭାଙ୍ଗି ଦେଇଥିଲେ ।

ସୂଚନା ଅନୁଯାୟୀ, ତୋସାଖାନା ମାମଲାରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗକାରୀ ଭାବରେ ହାଜର ହେବାପରେ ତାଙ୍କୁ ଆକ୍ରମଣ କରାଯାଇଥିଲା ବୋଲି ରାଂଝା FIR ରେ କହିଛନ୍ତି । ସେ କହିଛନ୍ତି ଯେ ଅଫିସରୁ ବାହାରିବା ମାତ୍ରେ ପିଟିଆଇ ସମର୍ଥକମାନେ ତାଙ୍କ ଉପରକୁ ହତ୍ୟା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ । ଏହି ସମୟରେ ତାଙ୍କ ଗାଡିକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିଲା । ତେବେ ତୋସାଖାନ ମାମଲାରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ଇମ୍ରାନ ଖାନ ହାଇକୋର୍ଟରେ ପହଞ୍ଚିଛନ୍ତି ।

Related Posts