ବାହାନଗା ଟ୍ରେନ ଦୁର୍ଘଟଣା: ବିହାରର ୮୮ ଯାତ୍ରୀଙ୍କ ମିଳୁନି ପତ୍ତା !

ଭୁବନେଶ୍ୱର,୭/୬(ସତ୍ୟପାଠ ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ବିହାରର ୮୮ ଜଣ ଯାତ୍ରୀଙ୍କ ମିଳୁନାହିଁ ପତ୍ତା । ଏଭଳି ଅଭିଯୋଗ ଆଣିଛନ୍ତି ବିହାରରବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶାହନୱାଜ ଆଲମ।

ଶାହନୱାଜ ଆଲମଙ୍କ କହିବା ମୁତାବକ, ଏହି ଟ୍ରେନ ଦୁର୍ଘଟଣାରେ ବିହାରର ୪୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହିତ ୪୪ ଜଣ ଆହତ ହୋଇଛନ୍ତି। କିନ୍ତୁ ଆଉ ୮୮ ଜଣଙ୍କ ବିଷୟରେ କିଛି ଜଣାପଡ଼ିନି। ସେମାନେ ନିଖୋଜ ଅଛନ୍ତି ବୋଲି ସେ କହିଛନ୍ତି।

ତେବେ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଟକ ଏସସିବି ଆସି ଏହି ଦୁର୍ଘଟଣାରେ ଆହତ ହୋଇଥିବା ତାଙ୍କ ରାଜ୍ୟର ଲୋକଙ୍କୁ ଭେଟିବା ପରେ ଗଣମାଧ୍ୟମ ଆଗରେ ସମାନ ଅଭିଯୋଗ ଆଣିଥିଲେ। ପଶ୍ଚିମବଙ୍ଗର ୩୧ ଜଣ ଲୋକ ନିଖୋଜ ଅଛନ୍ତି ବୋଲି ସେ କହିଥିଲେ। ମମତା କହିଥିଲେ, ପଶ୍ଚିମବଙ୍ଗର ୧୦୩ ଜଣଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି। ୮୭ଟି ମୃତଦେହ ପଶ୍ଚିମବଙ୍ଗରେ ପହଞ୍ଚି ସାରିଛି। ଓଡ଼ିଶାର ବିଭିନ୍ନ ମେଡିକାଲରେ ଏବେ ୯୭ ଜଣ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ କଟକ ଏସ୍‌ସିବିରେ କେବଳ ୫୩ ଜଣ ଚିକିତ୍ସିତ ହେଉଛନ୍ତି।

ସୂଚନାଯୋଗ୍ୟ ଯେ, ଏହି ଦୁର୍ଘଟଣାରେ ମୋଟ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୫ଟି ମୃତଦେହର ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଗତକାଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଥିଲେ।

Related Posts