ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାଲିଅନ୍ତା ହତ୍ୟାକାଣ୍ଡ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଏହା ମଧ୍ୟରେ ପ୍ରତ୍ୟକ୍ଷଦର୍ଶୀ ଓମ୍ ପ୍ରକାଶଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ସେ କହିଛନ୍ତି, ଆମେ ପ୍ରାୟ ସାଢ଼େ ୧୦ଟା ବେଳେ ଘରୁ ବାହାରିଥିଲୁ ମେଡିସନ୍ ଦୋକାନକୁ। ସୌମ୍ୟରଞ୍ଜନଙ୍କର ଏକ ଇଂଜେକ୍ସନ୍ ଦରକାର ଥିଲା। ତୁରନ୍ତ ଇଞ୍ଜେକ୍ସନ ନେବାକୁ ହେବ ବୋଲି ସୌମ୍ୟରଞ୍ଜନ ତାକୁ କହିଥିଲା । ସେଥିପାଇଁ ଓମ୍‌ ପ୍ରକାଶ ସ୍ପିଡ ବାଇକ୍ ଚଳାଉଥିଲା। ଦୁର୍ଘଟଣାର ସ୍ଥଳରୁ ୧୦୦ ମିଟର ଦୂରରୁ ସୌମ୍ୟରଞ୍ଜନଙ୍କୁ ଫିଡସ୍ (ବାତ) ମାରିଥିଲା। ସୌମ୍ୟରଞ୍ଜନ କିଛି ଉପାୟ ନ ପାଇ ଗୋଟିଏ ହାତରେ ବାଇକ୍ ଓ ଅନ୍ୟ ହାତରେ ଓମପ୍ରକାଶଙ୍କ ବେକକୁ ଧରି ପକାଇଥିଲେ। ଓମପ୍ରକାଶ ବିଚଳିତ ହୋଇପଡିଥିଲେ। ବାଇକ୍ ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ ସୌମ୍ୟ।

ଫଳରେ ରାମଚନ୍ଦ୍ରପୁର କାଳ ନିକଟରେ ସ୍କୁଟିରେ ଯାଉଥିବା ଦୁଇ ଜଣ ଯୁବତୀଙ୍କ ସହ ଧକ୍କା ହୋଇଥିଲେ । ସମସ୍ତେ ତଳେ ପଡିଯାଇଥିଲେ । ଜଣେ ସାମାନ୍ୟ ଓ ଅନ୍ୟ ଜଣେ ଯୁବତୀ ଗୁରୁତର ହୋଇଥିଲେ । ସାମାନ୍ୟ ଆହତ ହୋଇଥିବା ଯୁବତୀଙ୍କ ସହ ସୌମ୍ୟରଞ୍ଜନଙ୍କ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ସୌମ୍ୟରଞ୍ଜନ ତାଙ୍କୁ ଧରି ପକାଇଥିଲେ । ତେବେ ଯୁବତୀ ଜଣଙ୍କ ଚିତ୍କାର କରିଥିଲେ। ଯୁବତୀଙ୍କ ଗାଁ ଲୋକ ଘେରି ଯାଇଥିଲେ। କୌଣସି ଲୋକ ଆମ କଥା ଶୁଣିବା ପରିସ୍ଥିତିରେ ନଥିଲେ ବୋଲି କହିଛନ୍ତି ।