ବାଲିପାଟଣା : ଭିଜିଲାନ୍ସ ପଞ୍ଝାରେ ଲାଗିଲେ ଆଉ ଜଣେ ସରକାରୀ ଅଧିକାରୀ । ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ଥାନା ଏଏସଆଇ । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରେଡ୍ ହ୍ୟାଣ୍ଡରେ ଧରିଛି ଭୁବନେଶ୍ବର ଭିଜିଲାନ୍ସ ଟିମ୍ ।
୨୦୨୦ ମସିହାର ଏକ ମାରପିଟ୍ କେସ୍ ପାଇଁ ଲାଞ୍ଚ ନେଉଥିଲେ ବାଲିପାଟଣା ଥାନା ଏଏସଆଇ ପୁଷ୍ପଲତା ପାଇକରାୟ ।
ସୂଚନାଯୋଗ୍ୟ ଯେ, କଣ୍ଟାପଡା ଗ୍ରାମର ନୃସିଂହ ସେନାପତିଙ୍କର ୨୦୨୦ରେ ଏକ ମାରପିଟ୍ ମାମଲା ବାଲିପାଟଣା ଥାନାରେ ହୋଇଥିଲା । ଆକ୍ରମଣକାରୀଙ୍କୁ ଗିରଫ କରିବା ଏବଂ କେସ୍ର ଉପଯୁକ୍ତ ତଦନ୍ତ କରିବା ପାଇଁ ୫ ହଜାର ଟଙ୍କା ଦାବି କରିଥିଲେ । ଏ ନେଇ ନୃସିଂହ ଭିଜିଲାନ୍ସରେ ଲିଖିତ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ବୁଧବାର ୭ ଜଣିଆ ଭିଜିଲାନ୍ସ ଟିମ୍ ଥାନା ନିକଟରେ ରହିଥିଲେ । ନୃସିଂହଙ୍କ ଠାରୁ ଏଏସଆଇ ପୁଷ୍ପଲତା ପାଇକରାୟ ୫ ହଜାର ଟଙ୍କା ତାଙ୍କ ସରକାରୀ କ୍ବାର୍ଟରରେ ନେଇଥିଲେ । ଏହି ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଥିଲେ । ତାଙ୍କ ନିକଟରୁ ୫ ହଜାର ଟଙ୍କା ଜବତ ହୋଇଛି । ବାଲିପାଟଣା ଥାନା ପରିସରରେ ଏଏସଆଇଙ୍କ ଫାଇଲକୁ ଚେକ୍ କରିଛି ଭିଜିଲାନ୍ସ । କିଛି କାଗଜପତ୍ର ମଧ୍ୟ ଜବତ ହୋଇଛି ।