ଭାରତରେ ବିବିସି ଉପରେ ଲାଗିବନାହିଁ ବ୍ୟାନ, ହିନ୍ଦୁସେନାର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୧୦/୨(ସତ୍ୟପାଠ ବ୍ୟୁରୋ): ୨୦୦୨ ଗୁଜରାଟ ଦଙ୍ଗା ଉପରେ ବିବିସି ତରଫରୁ ପ୍ରସ୍ତୁତ କରାଯାଇଥିବା ଡକ୍ୟୁମେଣ୍ଟାରୀ ସହ ଭାରତରେ ବିବିସିର କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ହିନ୍ଦୁସେନା ପକ୍ଷରୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ତରଫରୁ କୁହାଯାଇଛି କି ଏହି ଆବେଦନ ଭୁଲ ଓ ଏହା କୋର୍ଟର ସମୟ ନଷ୍ଟ କରୁଛି ଏବଂ କୋର୍ଟ ତରଫରୁ ଏଭଳି ଆଦେଶ ଦିଆଯାଇପାରିବ ନାହିଁ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଆପଣ ଏଭଳି ଯୁକ୍ତି କିପରି ବାଢ଼ୁଛନ୍ତି। ଏହା ଏକ ସମ୍ପୂର୍ଣ୍ଣ ଭୁଲ କଥା । ବିବିସି ଉପରେ ପ୍ରତିବନ୍ଧକ ଲଗାଇବାକୁ କୋର୍ଟକୁ କିପରି କହିପାରିବେ?

ହିନ୍ଦୁସେନା ତରଫରୁ କରାଯାଇଥିବା ଆବେଦନରେ କୁହାଯାଇଥିଲା କି ବ୍ରିଟିସ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି)ର ଭାରତରେ ସମସ୍ତ କାର୍ଯ୍ୟକ୍ରମ ଉପରେ କୋର୍ଟ ପ୍ରତିବନ୍ଧକ ଲଗାନ୍ତୁ ଓ ବିବିସିକୁ ଭାରତରେ ବ୍ୟାନ କରାଯାଉ । କେବଳ ସେତିକି ନୁହେଁ ହିନ୍ଦୁସେନା ତା’ର ଆବେଦନରେ କହିଥିଲା ଯେ, ବିବିସି ଦ୍ୱାରା ଭାରତର ଏକତା ଓ ଅଖଣ୍ଡତା ଭଙ୍ଗ କରିବାକୁ ଷଡଯନ୍ତ୍ର କରାଯାଉଛି । ଏହାର ଯାଂଚ ଜାତୀୟ ଯାଂଚ ଏଜେନ୍ସି ଦ୍ୱାରା କରିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ।

ତେବେ ଏହାପୂର୍ବରୁ ଫେବୃଆରୀ ୩ ତାରିଖରେ ସୁପ୍ରିମକୋର୍ଟ ତରଫରୁ ୨୦୦୨ ଦଙ୍ଗା ସମ୍ବନ୍ଧିତ ବିବିସି ଡକ୍ୟୁମେଣ୍ଟାରୀକୁ ସେନ୍ସର କରିବାରୁ କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶ ଉପରେ ଜବାବ୍ ରଖିବାକୁ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ । କୋର୍ଟଙ୍କ ତରଫରୁ ବିବିସି ଡକ୍ୟୁମେଣ୍ଟାରୀ ‘ଇଣ୍ଡିଆ ଦ ମୋଦୀ କ୍ୱେଶ୍ଚନ’କୁ ବ୍ଲକ କରିବା ନିଷ୍ପତ୍ତି ସମ୍ବନ୍ଧିତ ପ୍ରାସଙ୍ଗିକ ରେକର୍ଡ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ତରଫରୁ ଏହି ମାମଲାର ଶୁଣାଣି ଏପ୍ରିଲ ମାସରେ ହେବ । ବରିଷ୍ଠ ସାମ୍ବାଦିକ ଏନ୍ ରାମ, ଟିଏମସି ସାଂସଦ ମହୁଆ ମୋଇତ୍ରା ଓ ଓକିଲ ପ୍ରଶାନ୍ତ ଭୁଷଣଙ୍କ ତରଫରୁ ଓକିଲ ସିୟୁ ସିଂ କୋର୍ଟଙ୍କୁ କହିଥିଲେ କି ଏହା ଏଭଳି ଏକ ମାମଲା ଯାହା ବିନା ଆଦେଶରେ ଜରୁରୀକାଳୀନ ଶକ୍ତି ଦ୍ୱାରା ଲାଗୁ କରାଯାଇଛି । ଏହାସହ ସିୟୁ ସିଂ କହିଥିଲେ କି ଏହି ଡକ୍ୟୁମେଣ୍ଟାରୀର ଲିଙ୍କ ସେୟାର କରିଥିବା ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ବ୍ଲକ କରିଦିଆଯାଇଛି । ଏହା ଉପରେ କୋର୍ଟ କହିଥିଲେ ଯେ, ଏନେଇ କେନ୍ଦ୍ର ସରକାରଙ୍କୁ ଏହାସହିତ ଜଡିତ ଫାଇଲ ମଗାଯାଇଛି, ଫାଇଲ ଆସିବା ପରେ ଯାଂଚ ହେବ ।

ସେପଟେ ବିବିସି ଡକ୍ୟୁମେଣ୍ଟାରିକୁ ଭାରତରେ ବ୍ୟାନ୍ କରିବା ଘଟଣାକୁ ବିରୋଧ କରିଛି ଆମେରିକା। ଗଣମାଧ୍ୟମର ସ୍ୱାଧୀନତା ଗଣତନ୍ତ୍ରର ପରିଚୟ ବୋଲି ଆମେରିକା ବିଦେଶ ମନ୍ତ୍ରାଳୟ କହିଛି। ଗଣତନ୍ତ୍ରର ମହତ୍ୱ ଗଣମାଧ୍ୟମର ସ୍ୱାଧୀନତାକୁ ଭାରତ ସମେତ ସାରା ବିଶ୍ୱରେ ଗୁରୁତ୍ୱ ଦିଆଯିବା ଦରକାର ବୋଲି ଆମେରିକା ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ନିଡ୍ ପ୍ରାଇସ୍ କହିଛନ୍ତି।

ଏକ ସମ୍ବାଦିକ ସମ୍ମିଳନୀରେ ପ୍ରାଇସ୍‌ କହିଛନ୍ତି ଯେ ୱାଶିଂଟନ ସାରା ବିଶ୍ୱରେ ଗଣମାଧ୍ୟମର ସ୍ୱାଧୀନତାକୁ ସମର୍ଥନ କରେ। କାରଣ ଗଣମାଧ୍ୟମର ସ୍ୱାଧୀନତା ଗଣତନ୍ତ୍ରର ମୂଲ୍ୟବୋଧକୁ ଉଜାଗର କରେ। ଯାହା ଅତ୍ୟନ୍ତ ଆବଶ୍ୟକ ବୋଲି ପ୍ରାଇସ୍ କହିଛନ୍ତି। ସେ ଆହୁରି କହିଛନ୍ତି ଆମେ ନିୟମିତ ଭାବେ ମାନବିକ ଅଧିକାର ଭାବେ ଗଣତନ୍ତ୍ର ନିୟମ ଯଥା- ଗଣମାଧ୍ୟମର ସ୍ୱାଧିନତା, ଧର୍ମୀୟ ଆସ୍ଥା ଓ ବିଶ୍ୱାସର ସ୍ୱାଧୀନତାକୁ ଗୁରୁତ୍ୱ ଦେବୁ। ଏହା ଆମ ଗଣତନ୍ତ୍ରକୁ ମଜଭୁତ କରିଥାଏ। ଏହି ସଦଭାବନା ନେଇ ଆମେ ସାରା ବିଶ୍ୱ ସହ ସମ୍ପର୍କ ରଖିଛୁ। ଭାରତ ସହ ମଧ୍ୟ ଆମର ଏମିତି ସମ୍ପର୍କ ରହିଛି।

Related Posts