ରାଜ୍ୟରେ ନକଲି ଔଷଧ ଉପରେ ଲାଗିବ ରୋକ; ଖୁଚୁରା ବଜାରରେ ଯାଞ୍ଚ ପାଇଁ ଗଠନ ହେଲା ସ୍ବତନ୍ତ୍ର ଟାସ୍କ ଫୋର୍ସ

ଭୁବନେଶ୍ୱର,୩୧/୧୨(ସତ୍ୟପାଠ ବ୍ୟୁରୋ): ରାଜ୍ୟର ଖୁଚୁରା ଔଷଧ ଦୋକାନରେ ଏକାଧିକ ନକଲି ଔଷଧ କାରବାର ଚାଲିଛି। ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଔଷଧ ଧରା ପଡ଼ୁଛି। ଗତ ୩ମାସ ଭିତରେ ଭୁବନେଶ୍ବର, କଟକ, ବରଗଡ଼, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା ଭଳି ଜିଲ୍ଲାରୁ ନକଲି ଔଷଧ ଚିହ୍ନଟ ହୋଇସାରିଲାଣି। ଆହୁରି ଅନେକ ନମୁନା ପରୀକ୍ଷାର ରିପୋର୍ଟ ଆସିବା ବାକି ରହିଛି।

ତେଣୁ ନକଲି ଔଷଧ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ନକଲି ଔଷଧର ରାଜ୍ୟବ୍ୟାପୀ ଚଢ଼ାଉ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି। ଏଥସିହତ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ ନେଇ ଘୋଷଣା ହୋଇଛି। ଏହି ୫ଜଣିଆ ଟାସ୍କ ଫୋର୍ସ ଅଚାନକ ଚଢଉ କରିବେ ଏବଂ ଔଷଧର ଯାଞ୍ଚ ଓ ସଂରକ୍ଷଣ କାର୍ଯ୍ୟର ଅନୁଧ୍ୟାନ କରିବେ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ନିର୍ଦେଶନାମା ପ୍ରକାଶ ପାଇଛି।

ଏହି ଟାସ୍କ ଫୋର୍ସର ଟିମ୍‌ ଲିଡର ‌ହେଉଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଦୋଳମଣି ପଟେଲ। ଏହାସହ ସହକାରୀ ଡ୍ରଗ୍‌ କଲେକ୍ଟର ଲଳିତ କୁମାର ସାହୁ, ସୁଦର୍ଶନ ବିଶ୍ବାଳ, ଡ୍ରଗ୍ ଇନ୍ସପେକ୍ଟର ହରପ୍ରିୟା ମଲ୍ଲିକ ଓ ବାବୁଲାଲ ଟୁଡ଼ୁ ରହିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଏହି ଟିମ୍ ଗଠନ କରାଯାଇଛି। ଏହି ଟିମ୍ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିବା ରିପୋର୍ଟ ଓ ନିଜସ୍ବ ସୂତ୍ରରେ ମିଳୁଥିବା ଖବରକୁ ଭିତ୍ତି କରି ଚଢ଼ାଉ କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ନକଲି ଔଷଧ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏହାର ଚେର ବାହାର ରାଜ୍ୟକୁ ଲମ୍ବିଛି। ଇତିମଧ୍ୟରେ ରାଜ୍ୟ ପୁଲିସ କେବଳ ନକଲି ଉଚ୍ଚ ରକ୍ତଚାପ ଔଷଧ ଟେଲ୍‌କା ୪୦ ଓ ଟେଲ୍‌ମା-ଏମ୍‌ ଘଟଣାରେ ବିହାରରୁ ନକଲି ଔଷଧ ଯୋଗାଇଥିବା ବ୍ୟକ୍ତିଙ୍କୁ ଗିରଫ କରିବାରେ ସକ୍ଷମ ହୋଇପାରିଛି। ମାତ୍ର ଘଟଣାର ମୁଖ୍ୟ ନାୟକ ଏଯାଏଁ ଗିରଫ ହୋଇପାରିନାହିଁ। ସେହିପରି ବରଗଡ଼ର ଅଶୋକ ମେଡିକାଲ ହଲ୍‌ରୁ ୮ରୁ ଅଧିକ ନକଲି ଔଷଧ ଜବତ ହୋଇଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

Related Posts