ଭୁବନେଶ୍ୱର,୩୧/୧୨(ସତ୍ୟପାଠ ବ୍ୟୁରୋ): କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ୮ ନବଜାତ ଶିଶୁଙ୍କ ମୃତ୍ୟୁ ମାମଲାକୁ ନେଇ ଜାତୀୟ ମାନବ ଅଧିକାର କମିସନ (ଏନଏଚଆରସି) ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି। ଏନେଇ ଉଭୟଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ(ଏଟିଆର୍) ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବ ଅଧିକାର କମିସନ।

ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ କୋରାପୁଟ ବୋରିଗୁମ୍ମାରେ ୮ ନବଜାତ ଶିଶୁଙ୍କ ମୃତ୍ୟୁ ଘଟଣାକୁ ନେଇ ମାମଲା ଦାୟର କରିଥିଲେ। ଏହାପରେ ଜାତୀୟ ମାନବ ଅଧିକାର କମିସନ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ନବଜାତ ଶିଶୁ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଥିଲା। ଚଳିତ ମାସ ୪ତାରିଖ ଦିନ ଦୁଇ ନବଜାତ ଶିଶୁଙ୍କ ମୃତ୍ୟୁ ଖବର ସାମ୍‌ନାକୁ ଆସିଥିଲା। କାଠରଗଡ଼ା ପଞ୍ଚାୟତର ନୂଆଗୁଡ଼ା ଗାଁର ପିଣ୍ଟୁ ସୁନାଙ୍କ ଦୁଇ ମାସର ଶିଶୁପୁତ୍ର ପ୍ରିନ୍ସ ୩ତାରିଖ ରାତିରେ ମୃତ୍ୟୁବରଣ କରିଥିଲା। ସେହିଦିନ ସେହି ଗାଁର ଦିଲ୍ଲୀପ ଗଣ୍ଡାଙ୍କ ୩ଦିନର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ସେହିପରି ୬ ତାରିଖରେ ଶଶାହାଣ୍ଡି ଗାଁର ଜଣେ, ୧୩ ତାରିଖରେ ବାଲିଗୁଡା ଓ ନାରିଗାଁରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା।

ଏହାପରେ ବିବଲିଗୁଡ଼ା ଗାଁର ଜଣେ ୧୪ଦିନର ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା।। ଏହିପରି ଭାବେ ୮ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ କେଉଁ କାରଣରୁ ଲଗାତାର ଭାବେ ଶିଶୁଙ୍କ ମୃତ୍ୟୁ ହେଉଛି ତାହା ସ୍ପଷ୍ଟ ହୋଇପାରିନଥିଲା।