ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଉପରେ ପ୍ରତିବନ୍ଧକ ଲଗାନ୍ତୁ କେନ୍ଦ୍ର ସରକାର। ଏହି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଯିବା ଆବଶ୍ୟକ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା। ଏନେଇ କେନ୍ଦ୍ରକୁ ତାଙ୍କ ସରକାର ନିରନ୍ତର ଅନୁରୋଧ କରୁଛନ୍ତି ବୋଲି ମଧ୍ୟ ସେ କହିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପିଏଫଆଇ ଏକ ଇକୋ-ସିଷ୍ଟମ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।ଶନିବାର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସଂଗଠନ ବିରୋଧରେ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନର ଏକ ଅଂଶ ଭାବରେ ଆସାମ ରାଜ୍ୟ ପୋଲିସ ୧୧ ଜଣ ପିଏଫଆଇ କର୍ମଚାରୀଙ୍କୁ ଗିରଫ କରିଛି। ଏହି ସଂଗଠନ ବିଷୟରେ ରାଜ୍ୟ ସରକାର କେନ୍ଦ୍ରକୁ ସୂଚନା ଦେଇଛନ୍ତି।

ହିମନ୍ତ ଆହୁରି କହିଛନ୍ତି ଯେ, ଏହି ସଂଗଠନର କିଛି ମଦ୍ରାସା ଏବଂ ମଡ୍ୟୁଲ ମଧ୍ୟରେ କୌଣସି ଲିଙ୍କ ଅଛି କି ନାହିଁ ପୋଲିସ ଅନୁସନ୍ଧାନ କରୁଛି। ପିଏଫଆଇ ଏକ ଇକୋ ସିଷ୍ଟମ ସୃଷ୍ଟି କରି ଲୋକଙ୍କୁ ଆଇଏସଆଇଏସ ଏବଂ ଅଲ କାଏଦାରେ ଯୋଗଦେବାକୁ ଉତ୍ସାହିତ କରୁଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗୁରୁବାର ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଏକାସାଙ୍ଗରେ ପନ୍ଦରଟି ରାଜ୍ୟରେ ପିଏଫଆଇ ବିରୋଧରେ ଚଢ଼ାଉ କରିଥିଲା। ଏହି ଚଢାଉରେ ଦେଶ ବ୍ୟାପୀ ମୋଟ ୧୦୬ ଜଣ ପିଏଫଆଇ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଥିଲା।