ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଲଗାତାର ରେଡ୍ ଓ ଗିରଫଦାରୀ ପରେ ପାଞ୍ଚ ବର୍ଷ ପାଇଁ ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର । ଦେଶବିରୋଧୀ ବେଆଇନ କାର୍ଯ୍ୟରେ ଲିପ୍ତ ରହିଥିବାରୁ ଗୃହ ମନ୍ତ୍ରଣାଳୟ ଏହି ସଂସ୍ଥା ଉପରେ ବ୍ୟାନ ଲଗାଇଛନ୍ତି । ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ସଙ୍ଗଠନରେ ଦେଶ ବିଭାଜନ ପାଇଁ କାର୍ଯ୍ୟ କରୁଥିବା ନେଇ ଏନଆଇଏ, ଇଡି ପ୍ରମାଣ ପାଇଥିବାରୁ ଏହି ସଂସ୍ଥା ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଥିବା ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

କେନ୍ଦ୍ର ସରକାରଙ୍କ ଦ୍ଵାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଦେଶବାସୀଙ୍କ ଧନଜୀବନ ନଷ୍ଟ କରିବା, ଆତଙ୍କବାଦୀଙ୍କ ସହ ଜଡିତ ରହି ହିଂସା ସୃଷ୍ଟି କରିବା ବିଦେଶରୁ ଫଣ୍ଡ ଆଣି ଦେଶରେ ଅରାଜକତା ସୃଷ୍ଟି କରୁଥିବାରୁ ଏହି ବ୍ୟାନ ଲଗାଯାଇଛି । ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ପିଏଫଆଇ ନିଜର ଏଜେଣ୍ଡା ଅନୁସାରେ ଦେଶବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛି । ଦେଶରେ ଶାନ୍ତି ଭଂଗ କରୁଥିବାର ଏବଂ ବିଦେଶରୁ ଟଙ୍କା ଆଣି ଦେଶରେ ହିଂସାତ୍ମକ କାର୍ଯ୍ୟ କରୁଥିବା ପ୍ରମାଣ ମିଳିଛି ।

ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ପୂର୍ବରୁ ବ୍ୟାନ ହୋଇଥିବା ସିମିର କାର୍ଯ୍ୟକର୍ତ୍ତା ଏଥିରେ ସାମିଲ ହୋଇ ଦେଶବିରୋଧୀ କାର୍ଯ୍ୟ କରୁଛନ୍ତି । ଅନେକ ବିଦେଶୀ ଆନ୍ତକବାଦୀ ସଂସ୍ଥା ସହ ସଂପର୍କ ରଖିଛି ପିଏଫଆଇ । ପିଏଫଆଇର କାର୍ଯ୍ୟକର୍ତ୍ତା ବିଦେଶରେ ପରିଚାଳିତ ଆତଙ୍କବାଦୀଙ୍କଠାରୁ ଟ୍ରେନିଂ ନେଉଛନ୍ତି । ୧୫ଟି ରାଜ୍ୟର ୯୩ଟି ସ୍ଥାନରେ ଏନଏଆଇ ଚଢ଼ାଉ କରି ୧୦୦ରୁ ଉର୍ଦ୍ଧ୍ବ ପିଏଫଆଇ ସଦସ୍ୟଙ୍କୁ ଗିରଫ କରିଛି । ତେଲେଙ୍ଗାନା, ଦିଲ୍ଲୀ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତରପ୍ରଦେଶ, ରାଜସ୍ଥାନ, ହାଇଦ୍ରାବାଦ, ଆସାମ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୋଆ, ପଶ୍ଚିମବଂଗ, ବିହାର, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଏନଆଇଏ, ଇଡି ଏବଂ ରାଜ୍ୟ ପୋଲିସ । ତେବେ ୨୦୦୬ ମସିହାରୁ ପିଏଫଆଇ କେରଳରୁ ତାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବିଭିନ୍ନ ରାଜ୍ୟରେ ଏବେ ଏହାର କାର୍ଯ୍ୟକର୍ତ୍ତା ରହିଛନ୍ତି ।