ରାଜସ୍ଥାନ ସଙ୍କଟ ନେଇ ସୋନିଆଙ୍କୁ ରିପୋର୍ଟ ଦେଲେ ପର୍ଯ୍ୟବେକ୍ଷକ; ରିପୋର୍ଟରେ ଗେହଲଟଙ୍କୁ କ୍ଲିନ୍ ଚିଟ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଂକଟ ନେଇ କଂଗ୍ରେସର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡଗେ ଓ ଅଜୟ ମାକେନ ସୋନିଆ ଗାନ୍ଧୀଙ୍କ ନିକଟକୁ ଏକ ରିପୋର୍ଟ ପଠାଇଛନ୍ତି। ଏହି ରିପୋର୍ଟରେ ଅଶୋକ ଗେହଲଟଙ୍କୁ ସମ୍ପୃକ୍ତ ଘଟଣାକ୍ରମ ପାଇଁ ଦାୟୀ ନକରି ତାଙ୍କୁ କ୍ଲିନ୍ ଚିଟ୍ ମିଳିଛି। ରିପୋର୍ଟରେ ଗେହଲଟଙ୍କୁ କ୍ଲିନ ଚିଟ୍ ଦେଇ ତାଙ୍କର ୩ ଘନିଷ୍ଠ ସହଯୋଗୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିଶ କରାଯାଇଛି। ୩ଜଣଙ୍କ ମଧ୍ୟରେ ରହିଛନ୍ତି ମନ୍ତ୍ରୀ ତଥା ବିଧାୟକ ଶାନ୍ତି ଧାରିୱାଲ, ମନ୍ତ୍ରୀ ତଥା ବିଧାୟକ ପ୍ରତାପ ସିଂ ଖାଚରିଆବାସ ଓ କଂଗ୍ରେସ ନେତା ଧର୍ମେନ୍ଦ୍ର ରାଠୋର।

ଉଲ୍ଲେଖଯୋଗ୍ୟ ଯେ, ଦଳର ହାଇକମାଣ୍ଡ ରବିବାର ସନ୍ଧ୍ୟା ୭ଟାରେ ଜୟପୁରରେ ବିଧାୟକ ଦଳର ବୈଠକ ଡାକିଥିଲେ। ଏହି ବୈଠକରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ନିଷ୍ପତ୍ତି ନିଆଯାଇଥାନ୍ତା। କିନ୍ତୁ ଏହି ବୈଠକର ଠିକ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପାଖ ଲୋକ ବୋଲି କୁହାଯାଉଥିବା ବିଧାୟକ ଶାନ୍ତି ଧରିୱାଲଙ୍କୁ ଭେଟିଥିଲେ ଗେହଲଟ୍ କ୍ୟାମ୍ପର ବିଧାୟକ। ଏହି ବୈଠକ ପରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାଙ୍କ କ୍ୟାମ୍ପରୁ ହେବା ଉଚିତ୍ ବୋଲି ଶାନ୍ତି ଧରିୱାଲ ଦଳର ହାଇକମାଣ୍ଡ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ। ଏହା ସହ ସେମାନଙ୍କ ଦାବି ପୂରଣ ନହେଲେ ଇସ୍ତଫା ଦେବାକୁ ଧମକ ଦେଇଥିଲେ ଗେହଲଟ୍ କ୍ୟାମ୍ପର ୯୦ରୁ ଅଧିକ ବିଧାୟକ। ଏହି କାରଣରୁ ବୈଠକ ନହେବାରୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଦଳର ବରିଷ୍ଠ ନେତା ଅଜୟ ମାକନ୍ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କଠାରୁ ଲିଖିତ ଉତ୍ତର ମାଗିଥିଲେ।

Related Posts