ଜଟାୟୁ ପାଇଁ କଣ୍ଟା ସାଜିଛି ଜରି ଓ ଲୁହା ତାର

ଭୁବନେଶ୍ୱର,୧୩/୧(ସତ୍ୟପାଠ ବ୍ୟୁରୋ): ରାଜଧାନୀ ଭୁବନେଶ୍ବରରୁ ଅଳିଆ ସଫା ପାଇଁ ଆସିଥିବା ଯନ୍ତ୍ର ଜଟାୟୁ ପାଇଁ ଏବେ ଅଡୁଆ ସାଜିଛି ଜରି । ଜଟାୟୁରେ ରାସ୍ତାଘାଟରୁ ଶୁଖିଲା ପତ୍ର ଉଠାଇବା ସମୟରେ ଜରି ଓ ଲୁହା ତାର ଆଦି ଏହି ଯନ୍ତ୍ରର ପାଇପରେ ଲାଖି ଯାଉଥିବାରୁ ତାହାକୁ ଚଳାଇବା ସହଜ ହେଉନାହିଁ ।

ସହରରୁ ଶୁଖିଲା ପତ୍ର ଭଳି ଅଳିଆ ଆବର୍ଜନାର ଯାନ୍ତ୍ରିକ ସଫେଇ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ପ୍ରଥମ ଥର ପାଇଁ ଜଟାୟୁ ନାମ ଅତ୍ୟାଧୁନିକ ଅଳିଆ ସଫେଇ ଯନ୍ତ୍ର ଖରିଦ କରିଛନ୍ତି । ଦୁଇ ଜଣ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ଏହି ଯନ୍ତ୍ରଟି ରାସ୍ତାକଡରୁ ପତ୍ର ଓ ଅନ୍ୟାନ୍ୟ ଆବର୍ଜନାକୁ ଭ୍ୟାକୁମ ବ୍ୟବସ୍ଥାରେ ସହଜରେ ଶୋଷି ନେଉଛି ।

ତେବେ କେତେକ ସ୍ଥାନରେ ଜରି ଓ ଲୁହା ତାର ଆଦି ଏହାପାଇଁ ଏକ ପ୍ରକାର କଣ୍ଟା ସାଜିଛି । ଯେଉଁ ମୋଟା ପ୍ଲାଷ୍ଟିକ ପାଇପ୍‍ ମାଧ୍ୟରେ ପତ୍ର ଓ ଅନ୍ୟାନ୍ୟ ଆବର୍ଜନା ବାୟୁ ଚାପରେ ଜଟାୟୁ ଭିତରକୁ ଶୋଷି ହୋଇ ଯାଉଛି ସେହି ପାଇପରେ ଜରି ପଶିଗଲା ପରେ ତାହା ଅଧାରେ ଅଟକି ରହୁଛି । ସେହିଭଳି ସରୁ ସରୁ ଲୁହାତାରଗୁଡିକ ମଧ୍ୟ ଏହି ପାଇପ୍‍ରେ ଲାଗି ଯାଉଛି ।

ତେଣୁ ଜଟାୟୁକୁ ଚଳାଉଥିବା କର୍ମଚାରୀମାନେ ଅଳିଆ ଉଠାଇବା ସମୟରେ ବାରମ୍ବାର ଏହି ଯନ୍ତ୍ରରୁ ମୁହଁରୁ ହାତରେ ଜରି ଓ ତାର ଛଡାଇବାରେ ଲାଗୁଥିବା ଦେଖିବାକୁ ମିଳୁଛି । କାରଣ ସଫେଇ କର୍ମଚାରୀମାନେ ପତ୍ର ସହିତ ଜରି ଓ ତାର ଇତ୍ୟାଦିକୁ ଓଳେଇ ଗୋଟିଏ ସ୍ଥାନରେ ଗଦା କରିଦେଉଛନ୍ତି ।

ତେବେ ଜଟାୟୁ ପାଇଁ ଜରି ସମସ୍ୟା ହେଉଥିଲେ ମଧ୍ୟ ଏହାର ପ୍ରତିକାର ସହଜ ନୁହେଁ । କାରଣ ରାଜଧାନୀରେ ଯେଉଁଭଳି ଭାବେ ପ୍ଲାଷ୍ଟିକ ବିଶେଷକରି ଜରି ଆବର୍ଜନା ଜମା ହେଉଛି ତାହାକୁ ବିଏମସି କର୍ତ୍ତୃପକ୍ଷ ରୋକିବାରେ ସଫଳ ହେଉ ନାହାନ୍ତି । ଆଇନ୍‍ ତିଆରି ସହିତ ଏକକ ବ୍ୟବହାର ହେଉଥିବା ପ୍ଲାଷ୍ଟିକକୁ ରୋକିବାପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ରାଜଧାନୀରେ ପଲିଥିନ ମୁଣାର ବ୍ୟବହାର କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଏଭଳି ଅବସ୍ଥା ଲାଗି ରହିଲେ ଆଗାମୀ ଦିନରେ ଜଟାୟୁକୁ ଚଳାଇବା କଷ୍ଟକର ହେବ ବୋଲି କୁହାଯାଉଛି ।

Related Posts