ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତା ଡ଼ିସେମ୍ବର ୨୫ ତାରିଖରେ ହକି ବିଶ୍ଵକପ ଟ୍ରଫି ଭୁବନେଶ୍ୱର ଆସୁଛି। ସଂପୂର୍ଣ୍ଣ ପାରମ୍ପରିକ ଶୈଳୀରେ ଟ୍ରଫିର ସ୍ବାଗତ ଏୟାରପୋର୍ଟରେ କରାଯିବ। ଏହା ପରେ ଟ୍ରଫି ଲିଙ୍ଗରାଜ ମନ୍ଦିର ଯିବ। ସେଠାରୁ ଏସପ୍ଲାନେଡ ମଲକୁ ନିଆଯିବ। ଏହା ପରେ ଜୟଦେବ ବିହାର ହୋଇ କିଟ୍ କ୍ୟାମ୍ପସକୁ ଟ୍ରଫି ଯିବ। ଟ୍ରଫି ଯିବା ରାସ୍ତାରେ ମଧ୍ୟ ଏହାର ସ୍ବାଗତ କରିବା ପାଇଁ ବ୍ୟବସ୍ଥା ହୋଇଛି। ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ଡ଼ିସେମ୍ବର ୨୫ରୁ ରବିବାର ଗୁଡିକରେ ପଥୋତ୍ସବର ମଧ୍ୟ ଆୟୋଜନ କରାଯାଇଛି।
ତେବେ ଏସବୁ ଭିତରେ ହକି ବିଶ୍ୱକପକୁ ଆଖି ଆଗରେ ରଖି ବିଏମ୍ ସି କମିସନର ବିଜୟ ଅମୃତ କୁଲାଙ୍ଗେ ବିଏମସିର ଓମଫେଡ୍ ଦୋକାନୀମାନଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଦୋକାନରେ ପାନ ଗୁଟଖା ବିକ୍ରି ପାଇଁ ବାରଣ କରାଯାଇଛି। ଅମାନିଆ ହୋଇ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓମଫେଡ ଦୋକାନଗୁଡ଼ିକ ଯେଉଁ ଉଦ୍ଦେଶ୍ୟରେ ଅଛି, କେବଳ ସେହି ଉଦ୍ଦେଶ୍ୟରେ କାମ କରନ୍ତୁ। ପ୍ରତ୍ୟେକ ଦୋକାନୀ ନିଜ ୫ ମିଟର ଏରିଆକୁ ନିଜେ ସଫା ରହିବେ। ଶୁଖିଲା ଓ ଓଦା ଅଳିଆ ଅଲଗା ନ ରଖିଲେ ୫ ହଜାର ଟଙ୍କା ଜରିମାନା ନହେଲେ ଦୋକାନ ବନ୍ଦ କରିବାକୁ ଓମଫେଡ୍ ଦୋକାନୀମାନଙ୍କୁ ଚେତାବନୀ ଦେଇଛନ୍ତି ବିଏମ୍ ସି କମିସନର।
