ରେଳ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଗୋଟିଏ ମାସର ଦରମା ଦାନ କରିବାକୁ ସାଂସଦମାନଙ୍କୁ ଅନୁରୋଧ କଲେ ବରୁଣ ଗାନ୍ଧୀ

ଭୁବନେଶ୍ୱର,୪/୬(ସତ୍ୟପାଠ ବ୍ୟୁରୋ): ଓଡିଶା ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାକୁ ନେଇ ସାରା ଦେଶ ଦୁଃଖ ପ୍ରକାଶ କରିଛି । ଅନେକ ରାଷ୍ଟ୍ର ମୁଖ୍ୟଙ୍କ ସମେତ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଆଦି ଶୋକବାର୍ତ୍ତା ପଠାଇଛନ୍ତି । ଏସବୁ ଭିତରେ ବିଜେପି ସାଂସଦ ବରୁଣ ଗାନ୍ଧୀ ଅନ୍ୟ ସାଂସଦମାନଙ୍କୁ ଏଭଳି କିଛି ଅନୁରୋଧ କରିଛନ୍ତି କି ଯାହା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ।ରେଳ ଦୁର୍ଘଟଣାକୁ ନେଇ ବରୁଣ ଗାନ୍ଧୀ ଶୋକ ପ୍ରକାଶ କରିବା ସହ ସାଥୀ ସାଂସଦମାନଙ୍କୁ ରେଳ ଦୁର୍ଘଟଣାରେ ପୀଡିତ ପରିବାରକୁ ଗୋଟିଏ ମାସର ଦରମା ଦାନ କରିବାକୁ ଅନୁରୋଧ କରିଛନ୍ତି ।

ବରୁଣ ଗାନ୍ଧୀ କହିଛନ୍ତି କି, ପ୍ରଥମେ ପୀଡିତ ପରିବାରଙ୍କୁ ସାହାରା ମିଳିବା ଦରକାର, ଏହାପରେ ନ୍ୟାୟ କଥା । ବରୁଣ ଗାନ୍ଧୀ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଯେ ଓଡିଶାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ହୃଦୟ ବିଦାରକ । ଯେଉଁ ପରିବାର ଏହି ଦୁର୍ଘଟଣାରେ ଶିକାର ହୋଇଛନ୍ତି ଆମେ ତାଙ୍କୁ ସହାୟତାର ହାତ ବଢାଇବା ସବୁଠାରୁ ବଡ ମାନବିକତା ।

ସୂଚନା ଥାଉ କି, ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେବା ଫଳରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଶହରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହାକୁ ନେଇ ରେଳମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ ଦୁର୍ଘଟଣା ସ୍ଥଳ ଓ ମେଡିକାଲରେ ପହଂଚି ଘଟଣା ବାବଦରେ ପଚାରି ବୁଝିଛନ୍ତି ।

Related Posts