ବାତ୍ୟା ଅସାନି: ବିଶାଖାପାଟନମରୁ 23 ଓ ଚେନ୍ନାଇରୁ 10 ବିମାନ ଉଡାଣ ଓ ଅବତରଣ ବାତିଲ

ଚେନ୍ନାଇ : ସାମୁଦ୍ରିକ ବାତ୍ୟା ‘ଅସାନି’ର ପ୍ରଭାଵ କୁ ଦୃଷ୍ଟିରେ ରଖି ବିମାନ ସେବା ପକ୍ଷରୁ ବଡ଼ ନିଷ୍ପତି ନିଆଯାଇଛି । ବାତ୍ୟାର ପ୍ରାକ ପ୍ରଭାବ ପୂର୍ବ-ଉପକୂଳରେ ଆରମ୍ଭ ହୋଇଯାଇଥିବା ବେଳେ, ଏହାର ପ୍ରଭାବ ବିମାନ ସେବା ଉପରେ ପଡ଼ିଛି । ଫଳରେ ଖରାପ ପାଗ କୁ ନେଇ ବିମାନ ସେବା ପକ୍ଷରୁ ଉଡାଣ ଉପରେ ରୋକ ଲଗାଯାଇଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ 23ଟି ଓ ଚେନ୍ନାଇରୁ 10 ବିମାନର ଉଡାଣ ଓ ଏବଂ ଅବତରଣକୁ ବାତିଲ କରାଯାଇଛି ।

ଆନ୍ଧ୍ରପ୍ରଦେଶ, ଓଡିଶା ଓ ପଶ୍ଚିମବଙ୍ଗରେ ଏହାର ପ୍ରଭାବ ସର୍ବାଧିକ ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇ ସାରିଥିବାବେଳେ ଆଜି ଠାରୁ ପାଗ ବଦଳିବା ଆରମ୍ଭ କରିଛି ।

ତେବେ ବିମାନ ଉଡାଣ ବାତିଲ ନେଇ ବିଶାଖାପାଟନମ ବିମାନ ବନ୍ଦର ନିର୍ଦ୍ଦେଶକ ଶ୍ରୀନିବାସ କହିଛନ୍ତି, ଉଡାଣ ସୂଚୀରେ ଥିବା ମୋଟ 23 ବିମାନକୁ ବାତିଲ କରାଯାଇଛି । ବର୍ତ୍ତମାନ ପାଗରେ ପରିବର୍ତ୍ତନ ହେବା ଆରମ୍ଭ କରିଛି, ତେଣୁ ଇଣ୍ଡିଗୋ ଏୟାର ଲାଇନ୍ସ ଓ ଏୟାର ଏସିଆର ଉଡାଣ ଓ ଅବତରଣ ସୂଚୀରେ ଥିବା 23 ବିମାନକୁ ବାତିଲ କରିବା ପାଇଁ ନିଷ୍ପତ୍ତି ହୋଇଛି ।

ସେହିପରି ଚେନ୍ନାଇ ବିମାନବନ୍ଦରରେ ମଧ୍ୟ 10 ବିମାନର ଉଡାଣ ଓ ଅବତରଣକୁ ବାତିଲ କରାଯାଇଛି । ବିଶାଖାପାଟନମ, ହାଇଦ୍ରାବାଦ ଓ ମୁମ୍ବାଇରୁ ଆସି ଚେନ୍ନାଇରେ ଅବତରଣ କରିବାକୁ ଥିବା କିଛି ବିମାନ ସମେତ ଉଡାଣ ତାଲିକାରେ ଥିବା କିଛି ବିମାନକୁ ମଧ୍ୟ ବାତିଲ କରାଯାଇଛି । ବାତ୍ୟା ହେତୁ ବିମାନ ଯାତ୍ରା ବାତିଲ କରାଯାଇଥିବାବେଳେ ଯାତ୍ରୀମାନଙ୍କୁ ସଠିକ ସୂଚନା ପ୍ରଦାନ କରାଯାଇଥିବା ମଧ୍ୟ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଆସନ୍ତାକାଲି ଠାରୁ ଆନ୍ଧ୍ର ସମେତ ଓଡିଶା ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ବର୍ଷା ଆରମ୍ଭ ହୋଇଯିବା ସହ ପବନର ବେଗ ମଧ୍ୟ ବଢିବା ନେଇ ପାଣିପାଗ ବିଭାଗ ସ୍ପଷ୍ଟ କରିସାରିଛି । ଆଜି ଠାରୁ ବାତ୍ୟାର ପ୍ରାକ ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ଓଡିଶା ସମେତ ପୂର୍ବ ଉପକୂଳରେ ଧିରେ ଧିରେ ପାଗ ବଦଳିବାରେ ଲାଗିଛି । ଆକାଶ ମେଘାଚ୍ଛନ୍ନ ହେବା ସହ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ଆରମ୍ଭ ହୋଇଛି ।

Related Posts