‘ପାଣ୍ଡ୍ୟା-ରାହୁଲଙ୍କୁ ଖେଳିବାକୁ ଦିଆଯାଉ’

ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କ ଉପରେ ଲଗାଯାଇଥିବା ବାସନ୍ଦାଦେଶକୁ ହଟାଇବା ପାଇଁ ବିସିସିଆଇର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ସିକେ ଖାନ୍ନା ଶନିବାର ପ୍ରଶାସକ ସମିତି(ସିଓଏ) ନିକଟରେ ଅପିଲ କରିଛନ୍ତି । ଖାନ୍ନା ଏହି ମାମଲାରେ ସ୍ଵତନ୍ତ୍ର ସାଧାରଣ ବୈଠକ(ଏସଜିଏମ୍‌) ଡକାଇବାକୁ ମନା କରି ଦେଇଛନ୍ତି । ସେ କହିଛନ୍ତି ଏହି ଦୁଇ ଖେଳାଳିଙ୍କ ବ୍ୟବହାରର ଯାଞ୍ଚ ପାଇଁ ଲୋକପାଳ ନିଯୁକ୍ତ କରିବାକୁ ଏସଜିଏସ୍‌ ଡକାଇବା ନେଇ ବୋର୍ଡ ଅଧିକାରୀଙ୍କ ଦାବି ଉଚିତ୍ ନୁହଁ, କାରଣ ସୁପ୍ରିମକୋର୍ଟରେ ଆସନ୍ତା ମାସରେ ଏହି ମାମଲାର ଶୁଣାଣି ହେବାକୁ ଯାଉଛି ।

ଖାନ୍ନା ବିସିସିଆଇର ସଂଚାଳନ କରୁଥିବା ‘ସିଓଏ’କୁ ଚିଠି ଲେଖିଛନ୍ତି ଯେ, ଉଭୟ ଭୁଲ କରିଛନ୍ତି ଓ ପ୍ରଥମରୁ ହିଁ ସେମାନଙ୍କୁ ନିଲମ୍ବିତ କରାଯାଇଛି । ଅଷ୍ଟ୍ରେଲିଆ ଗସ୍ତରୁ ସ୍ଵଦେଶ ଫେରାଇ ନିଆଯାଇଛି । ସେମାନେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ ତଦନ୍ତ ଚାଲିଥିବା ଯାଏଁ ଉଭୟ ଖେଳାଳିଙ୍କୁ ଭାରତୀୟ ଦଳରେ ସାମିଲ କରିବା ଉଚିତ୍, ଶୀଘ୍ର ଉଭୟଙ୍କୁ ନ୍ୟୁଜିଲାଣ୍ଡରେ ଦଳ ସହିତ ଯୋଗ ଦେବାକୁ ଅନୁମତି ଦେବା ଉଚିତ୍ ବୋଲି କହିଛନ୍ତି ଖାନ୍ନା ।

ପ୍ରଶାସକ ସମିତି(ସିଓଏ) ଚାହୁଁଛି ଯେ ସୁପ୍ରିମକୋର୍ଟ ପାଣ୍ଡ୍ୟା ଓ ରାହୁଲଙ୍କ ଭାଗ୍ୟର ନିର୍ଣ୍ଣୟ କରିବା ପାଇଁ ଲୋକପାଳ ନିଯୁକ୍ତ କରନ୍ତୁ । ବାସନ୍ଦାଦେଶ କାରଣରୁ ଉଭୟ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ଖେଳି ପାରିନାହାନ୍ତି । ନ୍ୟୁଜିଲାଣ୍ଡ ସିରିଜରୁ ମଧ୍ୟ ଉଭୟ ଦଳ ବାହାରେ ରହିବା ପ୍ରାୟ ନିଶ୍ଚିତ ଲାଗୁଛି । ପାଣ୍ଡ୍ୟା ଓ ରାହୁଲଙ୍କୁ ଅନେକ ମହିଳାଙ୍କ ସହିତ ସମ୍ପର୍କ ରଖିବା ଏବଂ ଟିଭି କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତି ଆପତ୍ତିଜନକ ବୟାନ ଦେବା ନେଇ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।

Related Posts