ଗୋଟିଏ ଅଣ୍ଡା, ଭାଙ୍ଗିଲା ସବୁ ରେକର୍ଡ

67 ଲକ୍ଷ ଫଲୋୟର୍ସ, ସାଢ଼େ 4 କୋଟିରୁ ଅଧିକ ଲାଇକ୍‌

ଗୋଟିଏ ଅଣ୍ଡା, ଏବେ ସାରା ବିଶ୍ବରେ ପାଲଟିଛି ସବୁଠାରୁ ଚର୍ଚ୍ଚିତ, ସବୁଠାରୁ ଲୋକପ୍ରିୟ । ଟ୍ବିଟରରୁ ନେଇ ଇନଷ୍ଟାଗ୍ରାମ ଯାଏଁ ସୋସିଆଲ୍‌ ମିଡିଆରେ ସବୁ ସେଲିବ୍ରିଟି ନେତା, ଧନୀ, ବଡ଼ ଲୋକଙ୍କୁ ପଛରେ ଛାଡ଼ି ସାରିଲାଣି ଗୋଟିଏ ଅଣ୍ଡା ।

ଅନେକ ସମୟରେ ଏମିତି ହୁଏ, ଯାହା ବାବଦରେ କେହି କେବେ ଭାବି ନଥାନ୍ତି । ଠିକ୍‌ ଏମିତି ହୋଇଛି ଗୋଟିଏ ଅଣ୍ଡାକୁ ନେଇ । ବଲିଉଡ ଓ ହଲିଉଡର ସୁନ୍ଦରୀ ହିରୋଇନମାନେ ତ ସମସ୍ତଙ୍କର ପସନ୍ଦ କିନ୍ତୁ । ଏମାନଙ୍କୁ ଲୋକପ୍ରିୟତାରେ ପଛରେ ପକାଇଦେଇଛି ଗୋଟିଏ ସାମାନ୍ୟ ଅଣ୍ଡା । ନିଶ୍ଚିତ ଭାବେ ଇଏ ମାମୁଲି ଅଣ୍ଡା ନୁହେଁ । ଏମିତି ଏଥିପାଇଁ କାରଣ ଏହାର ସୌନ୍ଦର୍ଯ୍ୟର ଫଣ୍ଡା କେହି ବୁଝିପାରୁନାହାନ୍ତି । ଏହା ସତ୍ବେ ଏହି ଅଣ୍ଡା ସଫଳତାର ଗୋଟିଏ ପରେ ଗୋଟିଏ ମାଇଲ୍‌ ଖୁଣ୍ଟ ପ୍ରତିଷ୍ଠା କରୁଛି ।

ଏହି ଅଣ୍ଡା ପାଖରେ ହାରିଗଲା ମା’ ସହ ଜଡ଼ିତ ମାନବୀୟ ‘ଭାବନା’ । ଫିକା ପଡ଼ିବାକୁ ଯାଉଛି ବିଶ୍ବର ଧନୀ ଲୋକଙ୍କର ଧନ, ସମ୍ପତ୍ତି ଓ ଅର୍ଥର ରଙ୍ଗ । ଏ ଖବର ଆପଣଙ୍କୁ ଟିକିଏ ଅଜବ ଗଜବ ଲାଗିଥିବ । କିନ୍ତୁ ଏ କଥା ଷୋଳ ଅଣା ସତ । ଗୋଟିଏ ଅଣ୍ଡାର ଫଟୋ ଲୋକଙ୍କୁ ଏତେ ପସନ୍ଦ ଆସୁଛି ଯେ ତାହା ଏବେ ରେକର୍ଡ ପରେ ରେକର୍ଡ କରିଚାଲିଛି ।

ଏହି ଅଣ୍ଡା ‘ପୋଷ୍ଟ’ର ଅଛନ୍ତି ସବୁଠାରୁ ଅଧିକ ଫଲୋୟର୍ସ । ଏହି ଅଣ୍ଡା ‘ପୋଷ୍ଟ’କୁ ସୋସିଆଲ୍‌ ମିଡିଆରେ ମିଳୁଛି ସବୁଠାରୁ ଅଧିକ ଲାଇକ୍‌ । ସବୁଠାରୁ ଅଧିକ ଥର ରିଟ୍ବିଟ୍‌ର ରେକର୍ଡ କରିବାକୁ ଯାଉଛି ଏହି ଗୋଟିଏ ଅଣ୍ଡାର ଫଟୋ ।

ଇନ୍‌ଷ୍ଟାଗ୍ରାମରେ ଏହାର ଅଛନ୍ତି 67 ଲକ୍ଷ ଫଲୋୟର୍ସ । ସାଢ଼େ 4 କୋଟିରୁ ଅଧିକ ଲାଇକ୍‌ ମିଳିଛି । ରିଟ୍ବିଟ୍‌ ଉପରେ ଏହାର ଧମାଲ୍‌ ତ ଜାରି ରହିଛି । ଆଉ ଏହି ଫଟୋ କାହା କାହାକୁ ପଛରେ ପକାଉଛି ସେ କଥା ବି ଜାଣି ନିଅନ୍ତୁ ।

ଇନଷ୍ଟାଗ୍ରାମରେ ଏହି ଗୋଟିଏ ଅଣ୍ଡା ହଲିଉଡ୍‌ ଆକ୍ଟର କାୟଲୀ ଜେନରଙ୍କ ପୋଷ୍ଟର ରେକର୍ଡ ଭାଙ୍ଗି ଦେଲା । କାୟଲୀ ଗତ ବର୍ଷ ଫେବ୍ରୁୟାରୀ 7 ତାରିଖରେ ନିଜର ନବଜାତ ପିଲାର ହାତର ଫଟୋ ସେୟାର କରିଥିଲେ । ଯାହାକୁ ପ୍ରାୟ 1 କୋଟି 80 ଲକ୍ଷ ଲାଇକ୍‌ ମିଳିଥିଲା । କିନ୍ତୁ ଲାଇକ୍‌ର ଏହି ସଂଖ୍ୟା ଅଣ୍ଡାଠାରୁ ଖୁବ୍‌ ପଛରେ ପଡ଼ିଯାଇଛି । କାରଣ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡ ଏହା ଉପରେ ମୋହର ଲଗାଇଛି । ସେପଟେ କୋଇୟୀ ବି ନିଜର ପରାଜୟ ସ୍ବୀକାର କରିନେଇଛନ୍ତି ।

କେବଳ ଇନଷ୍ଟାଗ୍ରାମରେ ନୁହେଁ, ଟ୍ବିଟରରେ ବି ଏହି ଫଟୋ ୟସାକୁ ମେଜାଂବାଙ୍କ ଟ୍ବିଟ୍‌କୁ ଟକ୍କର ଦେଉଛି । ୟସାକୁ ମେଜାଂବା ଜାପାନର ଜଣେ କୋଟିପତି । ସେ ଚଳିତ ଜାନୁଆରୀ 5 ତାରିଖରେ ଏକ ଟ୍ବିଟ୍‌ କରିଥିଲେ, ଯେଉଁଥିରେ ସେ ନୂଆ ବର୍ଷର ଶୁଭକାମନା ସହ ଲେଖିଥିଲେ ସେ ତାଙ୍କର ଏହି ପୋଷ୍ଟକୁ ସେୟାର କରିଥିବା କୌଣସି 100 ଲୋକଙ୍କ ଭିତରେ 10 କୋଟି ୟେନ୍‌ ବାଣ୍ଟିଦେବେ । ଏହି ଟ୍ବିଟ୍‌କୁ 50 ଲକ୍ଷ ଥର ରିଟ୍ବିଟ୍‌ କରାଗଲା । କିନ୍ତୁ ଏବେ ଏହାର ରେକର୍ଡ ବି ବିପଦରେ ପଡ଼ିଛି ।

ଚଳିତ ଜାନୁଆରୀ 4 ତାରିଖରେ ‘ୱାର୍ଲଡ୍‌ ରେକର୍ଡ ଏଗ୍‌’ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଫଟୋକୁ ପୋଷ୍ଟ କରାଯାଇଥିଲା । ଏଥିରେ ଲେଖାଯାଇଥିଲା ଯେ ‘ଚାଲନ୍ତୁ ଆମେ ସମସ୍ତେ ମିଶି ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ଲାଇକ୍‌ ହୋଇଥିବା ପୋଷ୍ଟର ରେକର୍ଡ ଭାଙ୍ଗିବା’ । ଆଉ ଏଥିସହ ଆରମ୍ଭ ହୋଇଗଲା ରେକର୍ଡ ଭାଙ୍ଗିବାର ପରମ୍ପରା ।

ଇନଷ୍ଟାଗ୍ରାମରେ କମାଲ କରି ଟ୍ବିଟରରେ ବି ଜାନୁଆରୀ 13 ତାରିଖରେ ଏହାକୁ ପୋଷ୍ଟ କରାଗଲା । ଆଉ ତା ପରେ ଚାଲିଲା ରି ଟ୍ବିଟ୍‌ର ଅଭିଯାନ । କିନ୍ତୁ କାହିଁକି ଲୋକେ ଏହାକୁ ଏତେ ସଂଖ୍ୟାରେ ରିଟ୍ବିଟ୍‌ କରୁଛନ୍ତି କାହାରିକୁ ଜଣା ନାହିଁ ।

Related Posts