ବିସିସିଆଇର ବଡ ଘୋଷଣା; ଏଣିକି ମହିଳା ଓ ପୁରୁଷ କ୍ରିକେଟ ଖେଳାଳୀଙ୍କୁ ମିଳିବ ସମାନ ମ୍ୟାଚ୍ ଫି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ କ୍ରିକେଟ ଇତିହାସରେ ଆଜି ଏକ ବଡ ନିଷ୍ପତ୍ତି ନେଇଛି ବିସିସିଆଇ । ଏହି ନିଷ୍ପତ୍ତି ଅନୁସାରେ ଏଣିକି ଆଉ ମହିଳା ଓ ପୁରୁଷ କ୍ରିକେଟ ଖେଳାଳୀଙ୍କ ମଧ୍ୟରେ ଭେଦଭାବ ରହିବ ନାହିଁ । ସମସ୍ତଙ୍କୁ ସମାନ ମ୍ୟାଚ୍ ଫି ମିଳିବ ବୋଲି ଆଜି ବିସିସିଆଇର ସମ୍ପାଦକ ଜୟ ଶାହା ଘୋଷଣା କରିଛନ୍ତି ।

ଏହି ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ଜୟ ଶାହା ଟୁଇଟ ମାଧ୍ୟମରେ ଘୋଷଣା କରିଛନ୍ତି ।ସେ କହିଛନ୍ତି ଯେ, ବିସିସିଆଇ ପକ୍ଷରୁ ଏକ ବଡ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଣିକି ଭାରତୀୟ ମହିଳା ଓ ପୁରୁଷ କ୍ରିକେଟରମାନଙ୍କୁ ସମାନ ମ୍ୟାଚ୍ ଫି ମିଳିବ । ଏବେ ଟେଷ୍ଟ କ୍ରିକେଟରେ ଗୋଟିଏ ମ୍ୟାଚ ପାଇଁ ୧୫ ଲକ୍ଷ ଓ ଏକଦିବସୀୟ ମ୍ୟାଚରେ ୬ ଲକ୍ଷ ଟଙ୍କା ମିଳିବ ଏବଂ ଗୋଟିଏ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ଉଭୟ ମହିଳା ଓ ପୁରୁଷ କ୍ରିକେଟରଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହା ସହ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିବାରୁ ଜୟ ଶାହା ଓପେକ୍ସ କାଉନସିଲକୁ ଧନ୍ୟବାଦ ଜଣାଇଛନ୍ତି । ଏହି ନିଷ୍ପତ୍ତି ଫଳରେ ଆଉ ମହିଳା ଓ ପୁରୁଷ ଖେଳାଳି ମାନଙ୍କ ମଧ୍ୟରେ କୌଣସି ଭେଦବାବ ରହିବ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ମହିଳା ଓ ପୁରୁଷ କ୍ରିକେଟ ଖେଳାଳୀଙ୍କୁ ସମାନ ମ୍ୟାଚ୍ ଫି ଦେବା ନେଇ ଭାରତ ପୂର୍ବରୁ ପ୍ରଥମେ ନ୍ୟୁଜିଲାଣ୍ଡ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଘୋଷଣା କରିଥିଲା । ଚଳିତ ବର୍ଷ ଜୁଲାଇ ମାସରେ ନ୍ୟୁଜଲାଣ୍ଡ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏହି ନିଷ୍ପତ୍ତି ନେଇଥିଲା ।

Related Posts