ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ପରିବର୍ତ୍ତନର ସ୍ଲୋଗାନ ଦେଇ ‘ଜନ ସୁରାଜ ଯାତ୍ରା’ ଆରମ୍ଭ କରିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ତେବେ ଏହି ଯାତ୍ରା ପାଇଁ କିଏ ଯୋଗାଉଛି ଫଣ୍ଡିଂ। କାହା ଟଙ୍କାରେ ଚାଲୁଛି ତାଙ୍କ ଜନ ସୁରାଜ ଯାତ୍ରା। ଏହାକୁ ନେଇ ପ୍ରଶ୍ନ ଉଠାଇ ଆସିଛନ୍ତି ବିହାରର ଅନେକ ନେତା। ଏପରିକି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ଜେଡିୟୁ ଅଭିଯୋଗ କରିଛି ଯେ, ଏହି ଯାତ୍ରା ପାଇଁ ବିଜେପି ପ୍ରଶାନ୍ତ କିଶୋରଙ୍କୁ ଟଙ୍କା ଯୋଗାଉଛି। ତେବେ ଏହି ଯାତ୍ରାର ଫଣ୍ଡିଂ ନେଇ ଏବେ ଖୁଲାସା କରିଛନ୍ତି ଖୋଦ୍ ପ୍ରଶାନ୍ତ କିଶୋର।

ଅକ୍ଟୋବର ୨ ତାରିଖରୁ ପ୍ରଶାନ୍ତ କିଶୋର ତାଙ୍କ ଜନ ସୁରଜ ଯାତ୍ରା ଆରମ୍ଭ କରିଛନ୍ତି। ସେ ଏହି ଯାତ୍ରାରେ ରାଜ୍ୟର ସମସ୍ତ ପଞ୍ଚାୟତ ପରିଦର୍ଶନ କରୁଛନ୍ତି। ତେବେ ଏହି ଯାତ୍ରାରେ ଖର୍ଚ୍ଚ ହେଉଥିବା ଟଙ୍କା କିଏ ଖର୍ଚ୍ଚ କରୁଛନ୍ତି। ଏହାକୁ ନେଇ ଜେଡିୟୁ ଓ ଅନ୍ୟ ଦଳ ପିକେଙ୍କୁ ଟାର୍ଗେଟ୍ କରିଛନ୍ତି। ଏବେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ପ୍ରଶାନ୍ତ କିଶୋର।

ସେ କହିଛନ୍ତି ଯେ, ‘ଜନ ସୁରଜ ଯାତ୍ରାରେ ଦେଶର ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋତେ ସାହାଯ୍ୟ କରୁଛନ୍ତି। ସେମାନେ ଏଥିପାଇଁ ଆବଶ୍ୟକ ଫଣ୍ଡିଂ ଯୋଗାଉଛନ୍ତି। ବଡ ରାଲି କିମ୍ବା ବଡ ହେଲିକପ୍ଟରରେ ଟଙ୍କା ଖର୍ଚ୍ଚ ହେଉନାହିଁ। ମୁଁ ୧୦ ବର୍ଷ ଧରି କାମ କରୁଛି। ୧୧ଟି ନିର୍ବାଚନରେ କାମ କରିଛି, ଯେଉଁଥିରୁ ୧୦ଟିରେ ସଫଳତା ହାସଲ ହୋଇଛି। ଏପରି ୬ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି ଯେଉଁମାନଙ୍କ ପାଇଁ ମୁଁ କାମ କରିଥିଲି। ମୋ ସହଯୋଗରେ ସେମାନେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏବେ ସେମାନେ ହିଁ ମୋତେ ଫଣ୍ଡିଂ କରୁଛନ୍ତି।’

ସେ ଆହୁରି କହିଛନ୍ତି, ସେ କେବେ କାହାଠାରୁ ଟଙ୍କା ମାଗି ନାହାନ୍ତି। ବିହାରରେ ଜନ ସୁରଜ ଯାତ୍ରାରେ ବାହାରିବା ବେଳେ ତାଙ୍କ ଠାରୁ ସାହାଯ୍ୟ ପାଇଥିବା ମୁଖ୍ୟମନ୍ତ୍ରୀମାନେ ଏବେ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ ଏବେ କ୍ରାଉଡ ଫଣ୍ଡିଂର ପ୍ଲାଟଫର୍ମ ତିଆରି କରାଯିବ ବୋଲି ସେ କହିଛନ୍ତି। ଦଳ ଗଠନ କରିବା ଓ ଲୋକଙ୍କୁ ସଚେତନ କରିବା ପାଇଁ କ୍ରାଉଡ ଫଣ୍ଡିଂ ଅଭିଯାନ ଆରମ୍ଭ କରିବାକୁ ପଡିବ ବୋଲି ପିକେ କହିଛନ୍ତି।

ସୂଚନା ଅନୁସାରେ, ଜନ ସୁରଜ ଯାତ୍ରା ଜରିଆରେ ବିହାରରେ ବୁଧବାର ସୁଦ୍ଧା ପିକେ ୨୦୦ କିଲୋମିଟରର ପଦଯାତ୍ରା ପୂରା କରିସାରିଲେଣି। ଏହି ପଦଯାତ୍ରାରେ ବାହାରି ସେ ବିହାର ରାଜନୀତିରେ ପରିବର୍ତ୍ତନ ଆଣିବା ପାଇଁ ବିହାରବାସୀଙ୍କୁ ସଚେତନା କରୁଛନ୍ତି। ଲୋକଙ୍କ ପାଖରେ ପହଞ୍ଚି ତାଙ୍କ ସହଯୋଗ ଲୋଡୁଛନ୍ତି। ତେବେ ଏହି ପଦଯାତ୍ରା ମାଧ୍ୟମରେ ପ୍ରଶାନ୍ତ କିଶୋର ନିର୍ବାଚନ ରଣନୀତିକାରରୁ ସିଧାସଳଖ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି।