ସାବଧାନ! ପୁରୀରେ ମାତିଛନ୍ତି ସାଇବର ଠକ; ଯାତ୍ରୀ ନିବାସରେ ରୁମ୍ ଵୁକିଂ ନାଁ ରେ ଭକ୍ତଙ୍କୁ ଠକେଇ ଅଭିଯୋଗ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସାବଧାନ, ପୁରୀରେ ମାତିଛନ୍ତି ସାଇବର ଠକ। ରୁମ୍ ବୁକିଙ୍ଗ ନାଁ ରେ ଭକ୍ତଙ୍କୁ ଠକେଇ ଅଭିଯୋଗ। ସାଇବର ଲୁଟେରାଙ୍କ ଟାର୍ଗେଟରେ ପୁରୀ ବଡ଼ଦାଣ୍ଡରେ ଥିବା ଶ୍ରୀମନ୍ଦିର ପ୍ରଶାସନର ନିଳାଚଳ ଭକ୍ତ ଓ ଯାତ୍ରୀ ନିବାସ। ନକଲି ଆଇଡି କରି ପ୍ରମୋଦ ସାହା ନାମକ ଜଣେ ବ୍ୟକ୍ତି ଏହି ଅନଲାଇନ ଠକେଇ କରିଥିବା ଅଭିଯୋଗ ହୋଇଛି।

ଠକେଇର ଶିକାର ହୋଇଥିବା ୫ଜଣ ଭକ୍ତ ଶ୍ରୀମନ୍ଦିର ପ୍ରଶାସନ ୱେବସାଇଟରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଟାଉନଥାନା ଓ ସାଇବର ଥାନାରେ ଏତଲା ଦିଆଯାଇଛି । ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଅଭିଯୋଗ ଅନୁସାରେ ପ୍ରମୋଦ ଶାହା ନାମକ ଜଣେ ସାଇବର ଠକ ନୀଳାଚଳ ଭକ୍ତ ନିବାସ ଓ ଯାତ୍ରୀ ନିବାସରେ ନାଁରେ ୟୁପିଏ ଆକାଉଣ୍ଟ ଖୋଲିବା ସହ ତୀର୍ଥଯାତ୍ରୀଙ୍କ ଠାରୁ ୨୧ ହଜାର ଟଙ୍କା ଠକେଇ କରିିଛି । ନୀଳାଚଳ ଭକ୍ତ ନିବାସ ଓ ଯାତ୍ରୀ ନିବାସ ରହିବା ପାଇଁ ଅନଲାଇନରେ ବୁକ କରି ୫ ଜଣ ଶ୍ରଦ୍ଧାଳୁ ଠକାମୀରେ ପଡିଛନ୍ତି ।

ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ସାଇବର ଥାନାରେ ଅଭିଯୋଗ ହୋଇଛି। ଗୋ ଡାଡି ସାଇଟରେ ନିଳାଚଳ ଭକ୍ତ ନିବାସ ୮୯ ନାମକ ଏକ ଫେକ୍ ଆଇଡି ଖୋଲା ଯାଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନର ଥିବା ଅଫିସିଆଲ୍ ୱବ୍ ସାଇଡ୍ www.shreejagannath.in କୁ ଯାଇ ଭକ୍ତମାନେ ସମସ୍ତ ଯାତ୍ରୀ ନିବାସରେ ଅନଲାଇନ ମାଧ୍ୟମରେ ରୁମ୍ ବୁକ୍ କରିପାରିବେ। ଏଥିରେ ସମସ୍ତ ଯାତ୍ରୀ ନିବାସର ଫୋନ ନମ୍ବର, ମ୍ୟାନେଜରଙ୍କ ଫୋନ୍ ନମ୍ବର ମଧ୍ୟ ଉପଲବ୍ଧ ଅଛି। ତେଣୁ ଅଲଗା ସାଇଡକୁ ଯାଇ ରୁମ୍ ବୁକ୍ କରିବାର କୈାଣସି ଆବଶ୍ୟକତା ନଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ। ତେବେ ରୁମ୍ ବୁକ୍ ନାଁ ଅନଲାଇନ ଠକେଇ ନେଇ ସାଇବର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଆଶା ରଖିଛି।

Related Posts