ସଡ଼କ ଉପରେ ବେଆଇନ ଗାଡି ପାର୍କ କରୁଥିଲେ ସାବଧାନ: ଫଟୋ ଉଠାଇକି ଦେଲେ ମିଳିବ ଟଙ୍କା

ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ଏକ ବଡ଼ ଘୋଷଣା କରିଛନ୍ତି। ଜାତୀୟ ରାଜମାର୍ଗ ନିୟମ ଅଣଦେଖା କରି ସଡ଼କ ଉପରେ ବେଆଇନ ଗାଡି ପାର୍କ କରୁଥିବା ଲୋକଙ୍କୁ ସାବଧାନ କରାଇଛନ୍ତି। ବେଆଇନ ପାର୍କିଂ ସ୍ଥାନରେ ବାହନ ଛିଡା କରିଥିବା ମାଲିକଙ୍କ ଉପରେ ଏଣିକି ଜରିମନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏଣୁ ଏଥିରେ କେନ୍ଦ୍ରମନ୍ତ୍ରୀ ସାଧାରଣ ଲୋକଙ୍କ ସହଯୋଗ କାମନା କରିଛନ୍ତି। ଏପରି ବେଆଇନ ପାର୍କିଂ କରିଥିବା ଗାଡିର ଫଟୋ ଉଠାଇ ପଠାଇବାକୁ କହିଛନ୍ତି। ଏଥିରେ ଯଦି ବାହନ ମାଲିକଙ୍କୁ ୧ ହଜାର ଟଙ୍କା ଜରିମନା ହୁଏ ତେବେ ଫଟୋ ପଠାଇଥିବା ବ୍ୟକ୍ତିଙ୍କୁ ୫୦୦ ଟଙ୍କା ପୁରସ୍କାର ମିଳିବ ।

ବେଆଇନ ଭାବେ ଗାଡି ପାର୍କ କରିଥିବା ଲୋକଙ୍କ ବିରୋଧରେ ଏଣିକି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗଡକରି କହିଛନ୍ତି। ଏପରି ବାହନ ପାର୍କ କରିଥିଲେ ୧୦୦୦ ଟଙ୍କା ଜରିମନା ହେବ। ଯେଉଁ ବ୍ୟକ୍ତି ଏପରି ବେଆଇନ ଭାବେ ଛିଡା ହୋଇଥିବା ବାହନର ଫଟୋ ପଠାଇବେ ତାଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏ ନେଇ କେନ୍ଦ୍ରମନ୍ତ୍ରୀ ଏକ ଆଇନ ଆଣିବେ ବୋଲି କହିଛନ୍ତି। ଯିଏ ଏପରି ବାହନଙ୍କ ଫଟୋ ମୋବାଇଲରେ ଉଠାଇ ପଠାଇବେ ସେମାନଙ୍କୁ ପୁରସ୍କୃତ କରାଯିବ। ଏପରି କଲେ ଦେଶର ଜାତୀୟ ରାଜମାର୍ଗ ମାନଙ୍କରେ ବେଆଇନ ପାର୍କିଂ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଗଡକରି କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଲୋକେ ନିଜ ଲାଗି ବାହନ ପାର୍କିଂ ନିର୍ମାଣ କରୁ ନାହାନ୍ତି। ଏଣୁ ସେମାନଙ୍କ ବାହନ ଜାତୀୟ ରାଜମାର୍ଗର ସଡକ ଅବରୋଧ କରୁଛି। ତେବେ ବେଆଇନ ପାର୍କିଂ ବାବଦେ ରାଜଧାନୀ ଦିଲ୍ଲୀ ବାସୀ ବେଶ ଭାଗ୍ୟଶାଳୀ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। କାରଣ ଦିଲ୍ଲୀରେ ବାହନ ପାର୍କିଂ ଲାଗି ପରିବହନ ମନ୍ତ୍ରାଳୟ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। କେହି ହେଲେ ପାର୍କିଂ ଲାଗି ସ୍ଥାନ ନିର୍ମାଣ କରୁ ନାହାନ୍ତି। ଅଧିକାଂଶ ଲୋକେ ରାସ୍ତା ଉପରେ ସେମାନଙ୍କ ଗାଡ଼ି ଛାଡି ପଳାଉଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Related Posts