‘ସମ୍ବିଧାନର ସୁରକ୍ଷା ପାଇଁ ମୋଦିଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରୁହ‘; କଂଗ୍ରେସ ନେତାଙ୍କ ବୟାନକୁ ନେଇ ବିବାଦ

ଭୁବନେଶ୍ୱର,୧୨/୧୨ (ସତ୍ୟପାଠ ବ୍ୟୁରୋ): ସମ୍ବିଧାନର ସୁରକ୍ଷା ପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରୁହ, ଏଭଳି ବୟାନ ଦେଇ ଅଡ଼ୁଆରେ ଫସିଛନ୍ତି କଂଗ୍ରେସ ନେତା ରାଜା ପଟେରିଆ। ତାଙ୍କର ଏପରି ବିବାଦୀୟ ବୟାନକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରକାଶ ପାଇଛି। ତେବେ ତାଙ୍କ ମନ୍ତବ୍ୟକୁ ନେଇ ବିବାଦ ବଢ଼ୁଥିବାରୁ ସେ ଘଟଣାକୁ ଚାପିବାକୁ ଉଦ୍ୟମ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। ସେ ନରେନ୍ଦ୍ର ମୋଦିଙ୍କୁ ପରବର୍ତ୍ତୀ ନିର୍ବାଚନରେ ହରାଇବା ପାଇଁ ଆହ୍ୱାନ ଦେଇଥିଲେ। କିନ୍ତୁ ଏହାକୁ ଭୁଲ ଭାବେ ଚିତ୍ରଣ କରାଯାଉଥିବା ସେ ସଫେଇ ଦେଇଛନ୍ତି।

ନିଜ ବୟାନକୁ ନେଇ ସେ କହିଛନ୍ତି ଯେ, “ସମ୍ଭବତଃ କଥା କହିବା ବେଳେ ଏପରି ଶବ୍ଦ ବାହାରି ଯାଇଥିବ। କିନ୍ତୁ ଯେଉଁମାନେ ଏହାକୁ ରେକର୍ଡ କରିଛନ୍ତି, ସେମାନେ ଏହାକୁ ଭୁଲ ପରିପ୍ରେକ୍ଷୀରେ ବିଚାର କରିଛନ୍ତି। ସେମାନେ ନିଜ ଇଚ୍ଛା ଅନୁସାରେ ମୋ ବୟାନକୁ ଉପସ୍ଥାପନ କରିଛନ୍ତି। ବାସ୍ତବରେ ମୋର ସେଭଳି କୌଣସି ଉଦ୍ଦେଶ୍ୟ ନଥିଲା।”

ତେବେ କାଲିଠାରୁ ରାଜାଙ୍କ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ରାଜା ତାଙ୍କ ପାଖରେ ଛିଡ଼ା ହୋଇଥିବା ସମର୍ଥକଙ୍କୁ ସମ୍ବୋଧନ କରୁଛନ୍ତି। ଏହି ସମୟରେ ସେ ସମ୍ବିଧାନର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରହିବାକୁ କହୁଥିବା ଭିଡିଓରେ ସ୍ପଟ ଭାବେ ଶୁଣିବାକୁ ଓ ଦେଖିବାକୁ ମିଳୁଛି।

ଏହି ଭିଡିଓ ଭାଇରାଲ ହେବାରେ କ୍ଷମତାସୀନ ବିଜେପି ନେତାମାନେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ମହାତ୍ମା ଗାନ୍ଧିଙ୍କୁ ନୁହେଁ ବରଂ ଫାଶୀବାଦୀ ଚିନ୍ତାଧାରା ରଖିଥିବା ମୁସୋଲିନିକୁ ଅନୁସରଣ କରୁଛି ବୋଲି ବିଜେପି କହିଛି। ବିଜେପି ନେତା ନରୋତ୍ତମ ମିଶ୍ରା କହିଛନ୍ତି, “ମୁଁ ରାଜା ଦେଇଥିବା ବୟାନକୁ ଶୁଣିଛି। ଏହି ବୟାନରୁ ସ୍ପଷ୍ଟ ହେଉଛି ଯେ କଂଗ୍ରେସ କେବେ ହେଲେ ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ନୁହେଁ। କଂଗ୍ରେସ ଇଟାଲୀର ଓ ଏହାର ଚିନ୍ତାଧାରା ମୁସୋଲିନି ଭଳି। ମୁଁ ସ୍ଥାନୀୟ ଏସ୍‌ପିଙ୍କୁ କଂଗ୍ରେସ ନେତା ରାଜାଙ୍କ ବିରୋଧରେ ଏଫଆଇଆର କରିବାକୁ ପରାମର୍ଶ ଦେଉଛି।”

Related Posts