‘ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ’: ରାମଦେବଙ୍କ କ୍ଷମା ପ୍ରାର୍ଥନାକୁ ଅଗ୍ରାହ୍ୟ କରି କହିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୧୦/୪(ସତ୍ୟପାଠ ବ୍ୟୁରୋ):  ‘ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ’ ବାବା ରାମଦେବଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ । ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଗତ କିଛିଦିନ ତଳେ ବାବା ରାମଦେବ ସୁପ୍ରିମକୋର୍ଟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ । କିନ୍ତୁ ବର୍ତ୍ତମାନ ଏହାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ବାରମ୍ବାର କହିବା ପରେ ମଧ୍ୟ ନଶୁଣିଥିବାରୁ ରାମଦେବଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ ।

ଏଣୁ ପତଞ୍ଜଳିର ଔଷଧୀୟ ଦ୍ରବ୍ୟର ବିଭ୍ରାନ୍ତିକର ବିଜ୍ଞାପନ ବାବଦରେ ସୁପ୍ରିମକୋର୍ଟ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଳକୃଷ୍ଣଙ୍କ “କ୍ଷମା ପ୍ରାର୍ଥନା” କୁ ଖାରଜ କରି ଦେଇଛନ୍ତି । ଜଷ୍ଟିସ୍ ହିମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାହଙ୍କ ଦ୍ୱାରା ଗଠିତ ଖଣ୍ତପୀଠ ଏହି ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକୁ ଉଦ୍ଦେଶ୍ୟମୂଳକ ଭାବେ ବାରମ୍ବାର ଅବମାନନା କରାଯାଇଥିବାରୁ ବର୍ଷିଛନ୍ତି ।

ପତଞ୍ଜଳି ତରଫରୁ ନିଜ ସଫେଇରେ ବରିଷ୍ଠ ଆଡଭୋକେଟ୍ ମୁକୁଲ ରୋହତଗୀ କହିଛନ୍ତି ଯେ ଲୋକମାନେ ଜୀବନରେ ଭୁଲ କରନ୍ତି । ଏହାର ଉତ୍ତରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏପରି ଭୁଲ୍ ବାରମ୍ବାର ଗ୍ରହଣୀୟ ନୁହେଁ । ଏଥିପାଇଁ ଦଣ୍ତ ମିଳିବ । ଆମକୁ ସବୁକିଛି ଦେଖାଯାଉଛି । ଆମେ ଅନ୍ଧ ନୁହେଁ ବୋଲି ଭର୍ତ୍ସନା କରିଛନ୍ତି କୋର୍ଟ ।

ସୂଚନାଯୋଗ୍ୟ ରୋଗର ଚିକିତ୍ସା ଉପରେ ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ସୁପ୍ରିମକୋର୍ଟ ପତଞ୍ଜଳି ଏବଂ ବାଳକୃଷ୍ଣଙ୍କୁ ଅବମାନନା ନୋଟିସ୍ ପଠାଇ ଜବାବ ମାଗିଥିଲେ, ଯାହାର ଉତ୍ତର କମ୍ପାନି ତରଫରୁ ଦିଆଯାଇନଥିଲା । ଜଷ୍ଟିସ୍ ହିମା କୋହଲି ଓ ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାହଙ୍କ ଖଣ୍ଡପୀଠ କମ୍ପାନୀ ଓ ବାଳକୃଷ୍ଣଙ୍କ ଦ୍ୱାରା ପୂର୍ବରୁ ଜାରି କରାଯାଇଥିବା ନୋଟିସ୍‌ର ଜବାବ ଦାଖଲ ନ କରିବା ନେଇ କଡ଼ା ଆପତ୍ତି ପ୍ରକାଶ କରିଥିଲେ ।

ଏଲୋପାଥି ଚିକିତ୍ସା ପଦ୍ଧତି ବିରୋଧରେ ନକାରାତ୍ମକ ପ୍ରଚାର କରୁଥିବା ଅଭିଯୋଗ କରି ୨୦୨୨ରେ ରାମଦେବଙ୍କ ପତଞ୍ଜଳି ବିରୋଧରେ ଭାରତୀୟ ମେଡିକାଲ ଆସୋସିଏସନ ବା IMA ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା । ଏହାଛଡ଼ା ନିଜ ଆୟୁର୍ବେଦିକ ଔଷଧ ଦ୍ୱାରା କିଛି ରୋଗ ଭଲ କରିବା ନେଇ ପତଞ୍ଜଳି ମିଛ ଦାବି କରୁଥିବା ଅଭିଯୋଗ କରିଥିଲା IMA । ସେପ୍ଟେମ୍ବର ୨୦୨୩ ଓ ଜାନୁୟାରୀ ୨୦୨୪ରେ ଶୁଣାଣି ବେଳେ ପ୍ରିଣ୍ଟ ମିଡିଆରେ ପ୍ରକାଶିତ ପତଞ୍ଜଳି ବିଜ୍ଞାପନକୁ କୋର୍ଟରେ ଉପସ୍ଥାପନ କରିଥିଲା । ପତଞ୍ଜଳି ଏହି ବିଜ୍ଞାପନ ଗୁଡ଼ିକରେ ମଧୁମେହ ଓ ଆଜମା ଭଳି ରୋଗକୁ ନିଜ ଆୟୁର୍ବେଦିକ ଔଷଧ ଦ୍ୱାରା ସମ୍ପୂର୍ଣ୍ଣ ଭଲ କରିପାରୁଥିବା ଦାବି କରିଥିଲା ।

Related Posts