
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ହୋଇ ଉଠିଛି। ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଆମ୍ ଆଦମୀ ପାର୍ଟି ପକ୍ଷରୁ ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଚାରିଟି ଆସନ ପାଇଁ ଦଳ ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ତେବେ ଏପର୍ଯ୍ୟନ୍ତ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଆସନ୍ତା ନଭେମ୍ବର ମାସରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ସୂଚନାନୁସାରେ, ଆମ୍ ଆଦମୀ ପାର୍ଟି ତା’ର ଫେସବୁକ୍ ପେଜରେ ଚାରି ଜଣ ପ୍ରାର୍ଥୀଙ୍କ ନାମ ତାଲିକା ଘୋଷଣା କରିଛି । ଏଥିରେ ଡଃ ରାଜନ ସୁଶାନ୍ତଙ୍କୁ କାଙ୍ଗଡ଼ା ଫତେହପୁରରୁ ଟିକେଟ ମିଳିଛି । ଏଥିସହିତ ଉମାକାନ୍ତ ଡୋଗ୍ରାଙ୍କୁ କାଙ୍ଗଡା ଗରୋଟା ବଙ୍ଗୱାନ ସିଟରୁ ଟିକେଟ ଦିଆଯାଇଛି । ଏହା ବ୍ୟତୀତ ଦଳ ସୁଦର୍ଶନ ଜସ୍ପାଙ୍କୁ ଲାହୋଲ-ସ୍ପିତିରୁ ପ୍ରାର୍ଥୀ କରିଛି ଦଳ । ସେହିପରି ମନୀଷ କୁମାର ସି ରମୌରର ପାୱଣ୍ଟା ବିଧାନସଭା ନିର୍ବାଚନମଣ୍ଡଳୀରୁ ଆପ ତରଫରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ଡଃ ରାଜନ ସୁଶାନ୍ତ ଅତୀତରେ କାଙ୍ଗଡା ଲୋକସଭା ଆସନରୁ ବିଜେପି ସାଂସଦ ଥିଲେ । ଏହା ପରେ ସେ ବିଜେପି ଛାଡିଥିଲେ । ପରେ ସେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । କିନ୍ତୁ ପୁଣି ଆପକୁ ଛାଡ଼ି ନିଜର ପାର୍ଟି ଗଠନ କରିଥିଲେ । ଗତ ବର୍ଷ ଫତେହପୁର ନିର୍ବାଚନରେ ରାଜନ ସୁଶାନ୍ତ ଅବତରଣ କରିଥିଲେ ଏବଂ ତାଙ୍କୁ ପାଖାପାଖି ୧୨ ହଜାର ଭୋଟ୍ ମିଳିଥିଲା । ତେବେ ସେ ନିର୍ବାଚନରେ ଜିତିପାରିନଥିଲେ । ନିକଟରେ ସେ ପୁଣିଥରେ ମଣ୍ଡିରେ ମନୀଷ ସିସୋଦିଆଙ୍କ ଉପସ୍ଥିତିରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ବର୍ତ୍ତମାନ ଦଳ ତାଙ୍କୁ ଫତେହପୁର ଆସନରୁ ପ୍ରାର୍ଥୀ କରିଛି । ତେବେ ଏହି ଆସନଟି କଂଗ୍ରେସର ଗଡ଼ ଭାବରେ ରହିଛି ଓ ଗତ ଚାରିଟି ନିର୍ବାଚନରେ ଏଠାରେ କଂଗ୍ରେସ ବିଜୟଲାଭ କରିଛି ।