ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ଅଭିଯୋଗ; ଟ୍ୱିଟରରେ ୨୦ ରୁ ୩୦ ଟଙ୍କାରେ ବିକ୍ରି ହେଉଛି ଦୁଷ୍କର୍ମ ଭିଡିଓ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ଟ୍ୱିଟର ଇଣ୍ଡିଆର ମୁଖ୍ୟଙ୍କୁ ସମନ ପଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଟ୍ୱିଟରରେ ୨୦ ରୁ ୩୦ ଟଙ୍କାରେ ବାଳିକା ଓ ମହିଳାଙ୍କ ଦୁଷ୍କର୍ମ ଭିଡିଓ ବିକ୍ରି ହେଉଛି। ମଙ୍ଗଳବାର ଦିନ ଏକାଧିକ ଟୁଇଟ୍ କରି ମାଲିୱାଲ ଏହା ପ୍ରକାଶ କରିଛନ୍ତି। ସୋମବାର ଦିନ ସେ କହିଥିଲେ ଯେ ଟ୍ୱିଟରରେ କିପରି ଶିଶୁ ଅଶ୍ଳୀଳତା, ବଳାତ୍କାର ଓ ନିର୍ଯାତନା ଦିଆଯାଉଛି। ମଙ୍ଗଳବାର ଦିନ ଦ୍ୱିପ୍ରହରରେ ମୁଁ ଏ ବିଷୟରେ ପ୍ରକାଶ କରିବି।

ମଙ୍ଗଳବାର ଦିନ ସ୍ୱାତୀ ଟ୍ୱିଟ୍ କରି କହିଛନ୍ତି ଯେ ହଜାର ହଜାର ଲୋକ ଛୋଟ ଝିଅଙ୍କ ଦୁଷ୍କର୍ମର ଭିଡିଓ ସେୟାର କରୁଛନ୍ତି। ମହିଳାଙ୍କ ଗାଧୋଇବାର ଭିଡିଓ ଗୁପ୍ତ କ୍ୟାମେରା ମାଧ୍ୟମରେ କଏଦ କରାଯାଉଛି। ଏହି କମ୍ପାନୀ (ଟ୍ୱିଟର) ବିଦେଶରେ ଥିବା ନିୟମ ଆପଣେଇଛି ଓ ଭାରତରେ ମହିଳାଙ୍କ ପ୍ରତି ଅଶ୍ଳୀଳତା ଓ ଦୁଷ୍କର୍ମ ଉପରେ ଆଖି ବୁଜି ଦେଇଛି ବୋଲି ସେ କହିଛନ୍ତି। ସେହିପରି ଅନ୍ୟ ଏକ ଟ୍ୱିଟରେ ମାଲିୱାଲ କହିଛନ୍ତି ଯେ ଶୋଇଥିବା ଝିଅମାନଙ୍କୁ ଦୁଷ୍କର୍ମ କରାଯାଉଥିବା ଭିଡିଓ ଓ ଫଟୋ ମଧ୍ୟ ଟ୍ୱିଟରରେ ସେୟାର କରାଯାଉଛି। ସେ ସିଧାସଳଖ ଅଭିଯୋଗ କରିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ପିଲାମାନଙ୍କ ଅଶ୍ଳୀଳ ଭିଡିଓ ବିକ୍ରୟ କରିବାର ଏକ ମାଧ୍ୟମ ପାଲଟିଛି। ଯୁବକ ଯୁବତୀଙ୍କୁ ଦୁଷ୍କର୍ମ କରିବାର ଭିଡିଓ ଟ୍ୱିଟରରେ ଭର୍ତ୍ତି ହୋଇ ରହିଛି। ଝିଅମାନଙ୍କର ଅଶ୍ଳୀଳ ଭିଡିଓ ୨୦ ରୁ ୩୦ ଟଙ୍କାରେ ବିକ୍ରି ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି।

Related Posts